STORYMIRROR

samhita jena

Classics

4  

samhita jena

Classics

ତୁମକୁ ଦେଖିଲା ପରେ.....

ତୁମକୁ ଦେଖିଲା ପରେ.....

1 min
401


ତୁମକୁ ଦେଖିଲା ପରେ.......

ଫିଟି ଗଲା ଲୁହାର ଶିକୁଳି 

ବନ୍ଦୀଶାଳାର କଂସା କବାଟ

ଉଜାଣୀ ଯମୁନା ହେଲା ଦୁଇଭାଗ

କଢେଇଲା... ମଥୁରାରୁ ଗୋପକୁ ବାଟ | 


ତୁମକୁ ଦେଖିଲା ପରେ.......

ପ୍ରୀତି ପାଗଳିନୀ ଯମୁନା

ଖୋଜୁଥିଲା ତୁମ ପାଦ ସ୍ପର୍ଶ

ପାଦ ଟିକେ ଛୁଇଁ ଦେଲା ପରେ

କଥା ଦେଲ ତାକୁ

ଗୋପର ଯମୁନା ତଟରେ

ପାଇବ ସେ ତୁମରି ପରଶ | 


ତୁମକୁ ଦେଖିଲା ପରେ......

ସ୍ନେହଁ କାଙ୍ଗାଳୁଣୀ ଯଶୋଦା 

ସ୍ନେହଁରେ ଅନ୍ଧୁଣୀ ହେଲେ |

ନନ୍ଦ ରାଜା ଖୁସିରେ

ଆତ୍ମହରା.......

ତୁମେ ହେଲ,

ଗୋପର ସାହାରା | 


ତୁମକୁ ଦେଖିଲା ପରେ.......

ରାଧା ଆଉ ନଥିଲେ

ନିଜ ଭିତରେ.......

ଗୋପ ଗୋପାଙ୍ଗନା

ପାଗଳୀ ପ୍ରୀତିରେ |

ସୁଦାମ ସୁବଳ ହେଲେ

ଲବଣୀ ଚୋର

ତୁମେ ପାଲଟିଗଲ

ଗୋପରେ ହଟିଆ ନାଗର | 


ତୁମକୁ ଦେଖିଲା ପରେ......

ଗୋପ ବାସୁଥିଲା

ଚନ୍ଦନ ଚନ୍ଦନ....

ଯମୁନା କୂଳରେ

କଦମ୍ବର ବନ

ରାଧାକୁ ପାଗଳୀ କଲା 

ମୋହନ ବଂଶୀର ସ୍ଵନ | 


ତୁମକୁ ଦେଖିଲାପରେ......

ରାଧା ନାମେ ବାଜିଲା

ଅପବାଦର ନାଗରା......

ଭକ୍ତି ରସରେ ମୀରା

ହେଲେ ଆତ୍ମହରା

ଗୋପ ପାଲଟି ଗଲା ପ୍ରୀତିର ପସରା | 


ମଧୁକ୍ଷରା ନାମ ତୁମ

ସେ ଲାବଣ୍ୟ ରୂପ

ପାଗଳ ହେଲେ ପ୍ରେମରେ

ଗୋପୀ ଆଉ ଗୋପ | 


ମୁଁ ବି ପାଗଳିନୀ କାହ୍ନା 

କମନୀୟ ରୂପ ଦେଖିବାକୁ 

ମନେ ସଞ୍ଚାରିତ ହୁଏ ଆଶା

ଆଶ୍ବସନା ଶୁଣାଏ ନିଜକୁ

କାହ୍ନୁ କେବେ... ଭୁଲିବନି ତତେ

ନିଶ୍ଚୟ ସେ ଆସିବ ପାଖକୁ | 


ଆସିବାକୁ ହେବ ଥରେ କାହ୍ନା 

ମୋର ଏଇ ଭଙ୍ଗା ହୃଦୟକୁ

ପାଦ ଥାପି ଦେଖିବାକୁ ହେବ 

ଜୀବନର ତତଲା ମରୁକୁ ........

ଖାଲି ଟିକେ ଦେଖିବାର ଇଛା

ହେଲେ ମୋର ମେଣ୍ଟୁ ନାହିଁ ଶୋଷ

ମୁକ୍ତି ଅପେକ୍ଷାରେ ଏ ଜୀବନ......

ମନେ ଅଛି ପ୍ରଗାଢ଼ ବିଶ୍ଵାସ | 


ନୁହଁଇ ମୁଁ ଗୋପ ଗୋପାଙ୍ଗନା

ନୁହଁଇ ମୁଁ ମାନିନୀ ରାଧିକା

ହୋଇ ପାରିବିନି ମୀରାବାଇ

ତଥାପି ମୁଁ ତୁମରି ପ୍ରେମିକା | 


ତୁମକୁ ମୁଁ ଦେଖିଦେଲା ପରେ

ତରିଯିବି ପାପୀ ଜନମରୁ

ମିଳିଯିବ ଏ ଜୀବକୁ ମୁକ୍ତି

ନିସ୍ତରିବି ପାପ ପଙ୍କିଳରୁ.......

ନିସ୍ତରିବି ମଣିଷ ଜନ୍ମରୁ |




Rate this content
Log in

Similar oriya poem from Classics