ତୁମକୁ ଦେଖିଲା ପରେ.....
ତୁମକୁ ଦେଖିଲା ପରେ.....
ତୁମକୁ ଦେଖିଲା ପରେ.......
ଫିଟି ଗଲା ଲୁହାର ଶିକୁଳି
ବନ୍ଦୀଶାଳାର କଂସା କବାଟ
ଉଜାଣୀ ଯମୁନା ହେଲା ଦୁଇଭାଗ
କଢେଇଲା... ମଥୁରାରୁ ଗୋପକୁ ବାଟ |
ତୁମକୁ ଦେଖିଲା ପରେ.......
ପ୍ରୀତି ପାଗଳିନୀ ଯମୁନା
ଖୋଜୁଥିଲା ତୁମ ପାଦ ସ୍ପର୍ଶ
ପାଦ ଟିକେ ଛୁଇଁ ଦେଲା ପରେ
କଥା ଦେଲ ତାକୁ
ଗୋପର ଯମୁନା ତଟରେ
ପାଇବ ସେ ତୁମରି ପରଶ |
ତୁମକୁ ଦେଖିଲା ପରେ......
ସ୍ନେହଁ କାଙ୍ଗାଳୁଣୀ ଯଶୋଦା
ସ୍ନେହଁରେ ଅନ୍ଧୁଣୀ ହେଲେ |
ନନ୍ଦ ରାଜା ଖୁସିରେ
ଆତ୍ମହରା.......
ତୁମେ ହେଲ,
ଗୋପର ସାହାରା |
ତୁମକୁ ଦେଖିଲା ପରେ.......
ରାଧା ଆଉ ନଥିଲେ
ନିଜ ଭିତରେ.......
ଗୋପ ଗୋପାଙ୍ଗନା
ପାଗଳୀ ପ୍ରୀତିରେ |
ସୁଦାମ ସୁବଳ ହେଲେ
ଲବଣୀ ଚୋର
ତୁମେ ପାଲଟିଗଲ
ଗୋପରେ ହଟିଆ ନାଗର |
ତୁମକୁ ଦେଖିଲା ପରେ......
ଗୋପ ବାସୁଥିଲା
ଚନ୍ଦନ ଚନ୍ଦନ....
ଯମୁନା କୂଳରେ
କଦମ୍ବର ବନ
ରାଧାକୁ ପାଗଳୀ କଲା
ମୋହନ ବଂଶୀର ସ୍ଵନ |
ତୁମକୁ ଦେଖିଲାପରେ......
ରାଧା ନାମେ ବାଜିଲା
ଅପବାଦର ନାଗରା......
ଭକ୍ତି ରସରେ ମୀରା
ହେଲେ ଆତ୍ମହରା
ଗୋପ ପାଲଟି ଗଲା ପ୍ରୀତିର ପସରା |
ମଧୁକ୍ଷରା ନାମ ତୁମ
ସେ ଲାବଣ୍ୟ ରୂପ
ପାଗଳ ହେଲେ ପ୍ରେମରେ
ଗୋପୀ ଆଉ ଗୋପ |
ମୁଁ ବି ପାଗଳିନୀ କାହ୍ନା
କମନୀୟ ରୂପ ଦେଖିବାକୁ
ମନେ ସଞ୍ଚାରିତ ହୁଏ ଆଶା
ଆଶ୍ବସନା ଶୁଣାଏ ନିଜକୁ
କାହ୍ନୁ କେବେ... ଭୁଲିବନି ତତେ
ନିଶ୍ଚୟ ସେ ଆସିବ ପାଖକୁ |
ଆସିବାକୁ ହେବ ଥରେ କାହ୍ନା
ମୋର ଏଇ ଭଙ୍ଗା ହୃଦୟକୁ
ପାଦ ଥାପି ଦେଖିବାକୁ ହେବ
ଜୀବନର ତତଲା ମରୁକୁ ........
ଖାଲି ଟିକେ ଦେଖିବାର ଇଛା
ହେଲେ ମୋର ମେଣ୍ଟୁ ନାହିଁ ଶୋଷ
ମୁକ୍ତି ଅପେକ୍ଷାରେ ଏ ଜୀବନ......
ମନେ ଅଛି ପ୍ରଗାଢ଼ ବିଶ୍ଵାସ |
ନୁହଁଇ ମୁଁ ଗୋପ ଗୋପାଙ୍ଗନା
ନୁହଁଇ ମୁଁ ମାନିନୀ ରାଧିକା
ହୋଇ ପାରିବିନି ମୀରାବାଇ
ତଥାପି ମୁଁ ତୁମରି ପ୍ରେମିକା |
ତୁମକୁ ମୁଁ ଦେଖିଦେଲା ପରେ
ତରିଯିବି ପାପୀ ଜନମରୁ
ମିଳିଯିବ ଏ ଜୀବକୁ ମୁକ୍ତି
ନିସ୍ତରିବି ପାପ ପଙ୍କିଳରୁ.......
ନିସ୍ତରିବି ମଣିଷ ଜନ୍ମରୁ |
