ତୁମେ
ତୁମେ
ତୁମେ
ହୃଦ ଆକାଶର ପୁନେଇଁ ଜହ୍ନ ଗୋ
ଢାଳିଦିଅ ପ୍ରୀତି ଜ୍ୟୋତ୍ସ୍ନା
ତୁମ ପରଶରେ ଜୀବନ ମରୁରେ
ଦୂର ହେଉ ମୋର ତୃଷ୍ଣା ।
ତୁମେ
ମନ ଉପବନ ସୁବାସିତ ପୁଷ୍ପ
ଢାଳିଦିଅ ମଧୁ ବାସ
ତୁମ ମହକରେ ଚଲାବାଟେ ମୋର
ଖେଳିଯାଉ ଓଠେ ହସ ।
ତୁମେ
ପ୍ରାଣ ସ୍ପନ୍ଦନର ଇନ୍ଦ୍ରଧନୁ ଶୋଭା
ଢାଳିଦିଅ ପ୍ରୀତି ରଙ୍ଗ
ତୁମ ଦର୍ଶନରେ ତନୁ ମନେ ଉଭା
ଲିଭିଯାଉ ସବୁ ଦାଗ ।
ତୁମେ
ଭାବନା ଗଳ୍ପର ମାନସୀ ନାୟିକା
ଢାଳିଦିଅ ମନେ ଭାବ
ଜୀବନ ପୃଷ୍ଠାରେ ଆଙ୍କିବି ଶବ୍ଦରେ
ଦୂର କରି ସବୁ କ୍ଷୋଭ ।
ତୁମେ
ପ୍ରେମ ଗୀତିକାର ସୁରିଲା ଝଙ୍କାର
ଢାଳିଦିଅ ପ୍ରୀତି ରସ
ଜୀବନ ବୀଣାରେ ଯୌବନ ଧ୍ୱନିରେ
ମେଣ୍ଟିଯାଉ ଅବଶୋଷ ।
ତୁମେ
ପ୍ରଶସ୍ତ ବୁକୁର ଋତୁଜା ମୌସୁମୀ
ଢାଳିଦିଅ ସମୀରଣ
ସାରା ଶରୀରରେ ନିଦାଘର ତାତି
ହୋଇଯାଉ ତିଳେ କ୍ଷୁର୍ଣ୍ଣ ।
ତୁମେ
ସ୍ୱପ୍ନ ରାଇଜର ସରଗ ପରୀଟେ
ଢାଳିଦିଅ ମୁଠେ ପ୍ରୀତି
ତୁମ ସାଥେ ମିଶି ନିର୍ଜନ ନିଶିରେ
ତୋଳୁଥିବି ଘର ନିତି ।