ତୁମେ
ତୁମେ
ତୁମେ ସାଗର ଗରଭେ ଶାମୁକା ଭିତରେ
ଲୁଚି ରହିଥିବା ଅମୂଲ୍ୟ ମୋତି
ତୁମେ ପୂର୍ଣ୍ଣିମା ରାତିରେ ଚାନ୍ଦର ବକ୍ଷରୁ
ଝରିପଡୁଥିବା ଶୀତଳ ଜ୍ୟୋତି ।
ତୁମେ ଦିଗନ୍ତ ବିସ୍ତାରି ଆକାଶ କୋଳରେ
ନାଚି ଉଠୁଥିବା ଏକ ତାରକା
ତୁମେ ଶୀତୁଆ ସକାଳେ ସୁନ୍ଦର କାନନେ
ଫୁଟି ଉଠୁଥିବା ବାସ କଳିକା ।
ତୁମେ ଶ୍ରାବଣ ଋତୁରେ ମେଘର ଦେହରୁ
ଝରି ପଡୁଥିବା ବରଷା ଧାର
ତୁମେ ଫଗୁଣ ମାସରେ ପ୍ରୀତିର ପରଶ
ଭରି ଦେଉଥିବା ରଙ୍ଗ ଅବିର ।
ତୁମେ ଶୀତ ସକାଳର ଗଛ ପତରକୁ
ସିକ୍ତ କରୁଥିବା କାକର ବିନ୍ଦୁ
ତୁମେ ନିର୍ଜନ ରାତ୍ରିର ଘନ ଅନ୍ଧକାର
ନାଶ କରୁଥିବା ସୁଢ଼ଳ ଇନ୍ଦୁ ।
ତୁମେ ବସନ୍ତ ବେଳାରେ ତନୁ ଓ ମନକୁ
ଛୁଇଁ ଯାଉଥିବା ମୃଦୁ ସମୀର
ତୁମେ ନୃତ୍ୟରେ ବିଭୋର ନର୍ତ୍ତକୀ ପାଦରେ
ଶୋଭା ପାଉଥିବା ଟିକି ଘୁଙ୍ଗୁର ।
ତୁମେ ନିର୍ଜନ ବେଳାରେ ବିରହୀ ପ୍ରାଣକୁ
କିଣି ନେଉଥିବା ବଂଶୀର ସ୍ଵନ
ତୁମେ ବସନ୍ତ ପ୍ରଭାତେ ପାଦପ ଶାଖାରୁ
ଭାସି ଆସୁଥିବା କୋକିଳ ତାନ ।
ତୁମେ ଶୂନ୍ୟ କାଗଜରେ ଶବ୍ଦରେ ଶବ୍ଦରେ
ଗଢି ଉଠିଥିବା କବିତାଟିଏ
ତୁମେ ଚିତ୍ରକରଙ୍କର ତୂଳୀର ମୁନରେ
ରୂପ ନେଇଥିବା ନାୟିକାଟିଏ ।
ତୁମେ ପ୍ରତି ମୁହୂର୍ତ୍ତରେ ମୋ' ହୃଦ କନ୍ଦରେ
ଘର ତୋଳିଥିବା ମାନିନୀ ରାଈ
ମୁଁ ଯମୁନା ତଟରେ ତୁମ ଅପେକ୍ଷାରେ
ଚାହିଁ ରହିଥିବା କଳା କହ୍ନେଇ ।

