ତୁମେ ଯଦି କେବେ
ତୁମେ ଯଦି କେବେ
ତୁମେ ଯଦି କେବେ ସ୍ବପ୍ନ ହୋଇ ଆସ
ସୁପ୍ତ ନୟନ ଯୁଗଳେ,
ସମ୍ମୋହିତ ହେବ ସୁନ୍ଦର ରାତ୍ରୀ ଟି
ଦୀପ୍ତ ହେବ ସେ କଜ୍ଜ୍ଜଳେ।
ତୁମେ ଯଦି କେବେ ଦୁଃଖ ହୋଇ ଆସ
ଯାତନାର କାଳ ରାତ୍ରିରେ,
ଯନ୍ତ୍ରଣାକୁ ଉପଭୋଗ କରିନେବି
ବାଣ୍ଟିବାକୁ ତୁମ ସାଥିରେ।
ତୁମେ ଯଦି କେବେ ଶବ୍ଦ ହୋଇ ଆସ
ଦେଇ ମୋ କବିତା ଝରଣା,
ଗୁନ୍ଥି ଦେବି ଅତି ଯତ୍ନରେ ସଧିରେ
ଥୋଇ ମୋ ପୀରତି ପାଉଣା।
ତୁମେ ଯଦି କେବେ ପ୍ରେମ ହୋଇ ଆସ
ନେଇ ସେ ମାଧୁର୍ଯ୍ୟ କଳ୍ପନା,
ପାବନ କରିବି ଜୀବନ ଧାମଟି
ଜିଇଁବାକୁ ଦେବ ପ୍ରେରଣା।
ତୁମେ ଯଦି କେବେ ସ୍ମୃତି ହୋଇ ଆସ
ଧୂଆଁଳିଆ ମନ ଆକାଶେ,
ଛାପି ଦେବି ତା'କୁ ଅଜସ୍ର ସ୍ନେହରେ
ଯେମିତି ସେ ସଦା ଝଲସେ।
ସଦାକାଳେ ତୁମେ ମଧୁର ମଳୟ
ଜ୍ୟୋତ୍ସ୍ନା ବିଧୁରିତ କାମନା,
ପୁଲକିତ କର ତୁମ ଭାବନାରେ
କେଉଁ ସଙ୍ଗୀତର ମୂର୍ଚ୍ଛନା।
ମନ ମୂଲକରେ ତୁମ ଆଧିପତ୍ୟ
ଦିଏ ବେଳେବେଳେ ଯନ୍ତ୍ରଣା,
ଆପଣାର ଭାବି ସହିଯାଏ ସବୁ
କହି କିଛି କହି ହୁଏନା।