ତୁମେ ତ ଅବର୍ଣ୍ଣନୀୟ - ୩
ତୁମେ ତ ଅବର୍ଣ୍ଣନୀୟ - ୩
ନିର୍ମଳ ଗଗନେ ତୋଫାଜହ୍ନ ତୁମେ
ହସ ତୁମ କ୍ଷଣପ୍ରଭା
କୃଷ୍ଣଚୂଡ଼ା ଓଠେ ସ୍ମିତହାସ୍ୟ ଲାଗେ
ଯେମିତି ଉଦିତ ଆଭା ।।
ସ୍ପର୍ଶଟି ତୁମର ବିଶଲ୍ୟକରଣୀ
ଆରୋଗ୍ୟ ଲଭଇ ପ୍ରେମୀ
ଚୁମ୍ବକର ପରି ଚାହାଣୀ ତୁମର
ପାଖକୁ ଗୋ ନିଏ ଟାଣି ।।
ମିଷ୍ଟଭାଷୀ ତୁମେ କଥାରୁ ତୁମର
ସୃଷ୍ଟି ସଙ୍ଗୀତ ଝଙ୍କାର
ନୀଳକଇଁ ଦେହେ ସୁଗନ୍ଧର ବାସ୍ନା
ଝରୁଥାଏ ନିରନ୍ତର ।।
ଶ୍ରେଷ୍ଠ ଶିଳ୍ପୀର ଗୋ ହାତଗଢା ମୂର୍ତ୍ତି
ଲାଜେଇ ଯାଏ ଚନ୍ଦ୍ରମା
କବି କଲମରୁ ଶବ୍ଦ ସରିଯାଏ
ଦେବାକୁ ତୁମ ଉପମା ।।
ସବୁ ଅଳଙ୍କାର ଫିକା ତୁମ ଆଗେ
ରୂପକ ଏବଂ ଯମକ
ଉତପ୍ରେକ୍ଷା ଅନୁପ୍ରାସ ଆଉ ଶ୍ଲେଷ
ଉପମା ଓ ବ୍ୟତିରେକ।।
ଉର୍ବଶୀ ମେନକା ରମ୍ଭା ତିଳୋତ୍ତମା
ଲଭନ୍ତି ଗୋ ପରାଜୟ
ଗନ୍ଧର୍ବଗଣ ବି ମୁଗ୍ଧ ତୁମଠାରେ
ତୁମେ ତ ଅବର୍ଣ୍ଣନୀୟ ।।

