ତୁମେ କଳିଯୁଗ ଭଗବାନ
ତୁମେ କଳିଯୁଗ ଭଗବାନ
କଳି ଭୟ ପାଇ ସ୍ବର୍ଗପୁରେ ଯାଇ
ଲୁଚିଲେ ଦେବତାଗଣ
କଳିଯୁଗ ଅସ୍ତ୍ର କରି କରାୟତ
ଜନମିଲ ନେତା ଗଣ
ତୁମେ, କଳିଯୁଗ ଭଗବାନ
ତୁମରି ଦୟାରେ ଜନମ ମରଣ
ସୁଖ ଦୁଃଖ ସନମାନ
ତୁମେ, କଳିଯୁଗ ଭଗବାନ ।
ପାଇଲ ଆସନ କରିଲ ଶାସନ
ଦେଶକୁ କଲ ଲୁଣ୍ଠନ
ପଙ୍ଗୁପାଳ ପରି ସବୁ ଗଲ ଚରି
ଯୋଜନେ ଯୋଜନାମାନ
ପୁଣି, ଦେଶର ଖଣି ଖାଦାନ
ଇନ୍ଦିରା ଆବାସ ପାଇଖାନା ବାସ
ସବୁ ଖାଇ କଲ ଜୀର୍ଣ୍ଣ
ତୁମେ, କଳିଯୁଗ ଭଗବାନ ।
ବରଷ ପାଞ୍ଚଟା ହୋଇଗଲେ ନେତା
ସାତ ପୁରୁଷ ତମାମ
ଖାଉଥିବେ ବସି ହେଉଥିବେ ଖୁସି
ସରିବ ନାହିଁ ସେ ଧନ
ମୁଖେ, ଗାଉଥିବେ ଗୁଣ ମାନ
ଜଗନ୍ନାଥ ଦ୍ୱାହି ସତ କୁହ ଭାଇ
କେତେ ତଣ୍ଟି ଚିପା ଧନ
ତୁମେ, କଳିଯୁଗ ଭଗବାନ ।
ନ ପାଇ ଚାକିରୀ ପଢ଼ିଲେ ବେକାରୀ
ରାଜନୀତି ଅଭିଧାନ
କମ୍ପାନୀ ଭାଙ୍ଗିଲ କମ୍ପାନୀ ନ କଲ
କଲ ନାହିଁ ଥଇଥାନ
ତୁମ, ଚେଲା ପଣେ କଟେ ଦିନ
ଇସ୍ କହିଦେଲେ ଗୋଡେଇ ଧଇଲେ
ସତେ ଅବା ଆଲିସ୍ସାନ
ତୁମେ, କଳିଯୁଗ ଭଗବାନ ।
ଶଙ୍ଖ ହୁଳହୁଳି ହରିବୋଲ ଦେଇ
ପୂଜନ୍ତି ଜନତା ଗଣ
ହସୁଛନ୍ତି ଦେଖି ଦେଉଳରେ ବସି
ଚକ୍ରଧାରୀ ନାରାୟଣ
ସବୁ, ଦୁଃଖ କରିବେ ମୋଚନ
କଳ୍କୀ ରୂପ ଧରି ବିଶ୍ୱେ ଅବତରି
ସଂହାରିବେ ପାପୀ ଗଣ
ତୁମେ, କଳିଯୁଗ ଭଗବାନ ।