ଗୁରୁ ବନ୍ଦନା
ଗୁରୁ ବନ୍ଦନା
ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ
ଗୁରୁ ମହେଶ୍ବର
ଗୁରୁ ନିଜେ ମହାପ୍ରଭୁ
ଜଗତ ଠାକୁର ।
ଗୁରୁପଦ କଞ୍ଜେ ଫୁଟେ
ସଦା ପଦ୍ମଫୁଲ
ଝରେ ଅମୃତର ଝର
ହୋଇ ପରଫୁଲ୍ଲ ।
ଗୁରୁପଦକଞ୍ଜେ ସର୍ବ
ଦେବ ନିତ୍ୟ ବାସ
ଗୁରୁ ଆଶୀର୍ବାଦେ ହୁଏ
ଜ୍ଞାନ ପରକାଶ ।
ଗୁରୁ ଦିବ୍ୟ ନେତ୍ରେ ବର୍ଷେ
ଆଲୋକର ଧାରା
ତାଙ୍କ ସ୍ପର୍ଶେ ବହେ ସ୍ୱର୍ଗ
ମନ୍ଦାକିନୀ ଧାରା ।
ଗୁରୁକର ସ୍ପର୍ଶେ ଦୂର
ହୁଏ ଅନ୍ଧକାର
ଗୁରୁ ସର୍ବ ଜ୍ଞାନାଜ୍ଜନ
କର ନମସ୍କାର ।
ଗୁରୁ ସଦା ଜଗତର
ଜ୍ଞାନର ଭଣ୍ଡାର
ଗୁରୁକରିଥାନ୍ତି ମର୍ତ୍ତ୍ୟେ
ଶିଷ୍ୟଙ୍କୁ ଉଦ୍ଧାର ।
ଗୁରୁବିନା ମିଳେ ନାହିଁ
ଶିଷ୍ୟେ ଦିବ୍ୟଜ୍ଞାନ
ଗୁରୁ ସର୍ବ ଜ୍ଞାନାଧାର
ପ୍ରଭୂ ଭଗବାନ ।
ଗୁରୁ ଗତି ମୁକ୍ତି ଦାତା
ପଥ ପ୍ରଦର୍ଶକ
ଗୁରୁ ବିନା ଶିଷ୍ୟ ଜ୍ଞାନ
ନିତ୍ୟ ନିରର୍ଥକ ।
ଯହିଁ ଗୁରୁ ତହିଁ ଥାନ୍ତି
ବ୍ରହ୍ମା ବିଷ୍ଣୁ ଶିବ
ତେଣୁ ଗୁରୁ ଆଜ୍ଞା ସିଦ୍ଧ
ପଦେ ପ୍ରଣମିବ ।
ଗୁରୁ ନିତ୍ୟ ଦିବ୍ୟଜ୍ଞାନ
ବିଶ୍ୱ ପୂଜନୀୟ
ତାଙ୍କପଦେ ମଥା ନତ
କର ଶିଷ୍ୟେ ସ୍ଵିୟ ।
ଗୁରୁ ଆଜ୍ଞା ବଳେ ଶିଷ୍ୟ
ସଦାକରେ ଜୟ
ଗୁରୁ ଆଜ୍ଞା ବଳେହୁଏ
ସର୍ବ ପାପ କ୍ଷୟ ।
ସର୍ବ କର୍ମପ୍ରଦର୍ଶକ
ଜ୍ଞାନର ପସରା
ଗୁରୁ କୃପା ବଳେ ହୁଏ
ମନୋହର ଧରା ।