STORYMIRROR

Ajaya Mahala

Abstract Others

3  

Ajaya Mahala

Abstract Others

ତୁମେ କିଛି ବାକି ରଖିନ

ତୁମେ କିଛି ବାକି ରଖିନ

2 mins
169


ଅଝଟିଆ ବ୍ୟବସାୟୀ ପରି

ସବୁ ଛୋଟ ଛୋଟ ଉପହାରର

ପ୍ରତିବଦଳରେ ମାଗି ବସେ 

କିଛି ନା କିଛି ତୁମଠୁଁ

ଯେମିତି ତୁମେ ଅସରନ୍ତି ଭଣ୍ଡାର 

ପ୍ରେମର, ସ୍ନେହର

ଆଲିଙ୍ଗନର, ଚୁମ୍ବନର

ଜାଣିଛି, ତୁମ ପାଇଁ ପଇସା ଲାଗେନି 

ହସ ଟିଏ ତିଆରି କରିବାକୁ

ଦୁଇଟି ବଦଳରେ

ଆଉ ପାଞ୍ଚଟି ଚୁମ୍ବନ ଆଙ୍କି ଦେଲେ

ଜାଣିଛ, ଏଥିରେ କିଛି 

ଦେହ ଘୋରି ହୁଏ ନାହିଁ

ଚୁମ୍ବନ ଦେଇସାରି

ମୁହଁକୁ ଚାହିଁ ରୁହ 

ଉତଫୁଲିତ ନୟନରେ

ଦେଖିବାକୁ 

କଅଣ ଯେ ଖୁସି ପାଏ ମୁଁ 

ସେ ସବୁରୁ

ତୁମ ମୁହଁର ଭାବ ସେମିତି ଲାଗେ

ଯେମିତି ଫୁଲଗଛରୁ

ଫୁଲଟିଏ ଛିଣ୍ଡାଇ 

କେହି ଖୁସିହେଲେ 

ଫୁଲଗଛ ବି ଉତ୍ଫୁଲିତ ହେଉଥାଏ


କାହିଁ ତୁମେ କହି ଦିଅ

"ବହୁତ ହୋଇଗଲା, ଆଉ ନୁହେଁ"

ଖାଇବା ଜିନିଷ ହୋଇଛି ଯେ 

ପେଟ ପୂରିଯିବ ସେ ସବୁରେ

ସମୁଦ୍ରକୁ ମିଠା କଥାରେ 

ବାନ୍ଧି ପାରିବ ତୁମେ ? 

କହି ପାରିବ ତୁମେ-

"ତୁମ ମନକଥା ପୂରା କରି ଦେଲି

ଏବେ ତୁମେ ମାନି ଯାଅ ସମୁଦ୍ର 

ସବୁଦିନ ପାଇଁ

ଢେଉ ତୁମ ବନ୍ଦ କରି ଦିଅ !"?


ପୁଣି ମୁଁ ବାହାର କରେ 

ସେହି ପୁରୁଣା ହିସାବ

ବହୁ ଦିନର ଦିଆନିଆର 

ମୁହଁରେ ଲେଖା ବାକି ଖାତା

ସେ ଶାଢ଼ୀର ମାହାସୁଲ ଗଲା କୁଆଡେ ?ସେ ଚୁଡିର ବି 

ପାଉଁଜିକୁ ଛାଡି ଦେଲି ସତ

କିନ୍ତୁ ସେ କଟକ ଝୁମୁକାର ହିସାବ

ଏବେ ବି ବାକି ଅଛି

ତୁମେ କଥାରେ ଚମକେଇ ଦିଅ-

"ହେ ହେ ମିଛୁଆ, ହେ ଠକ

ସତ କହିଲ କିଛି ବି ଦେଇନି?"

ହିସାବ କରି ବସ 

ପ୍ରତି ଚୁମ୍ବନକୁ

ପାଞ୍ଚ ଟଙ୍କା ଦରରେ ବିକିଥିଲେ ବି

କେବେଠୁଁ କୋଟିଏ ଟଙ୍କାର

ମାଲିକାଣୀ ହୋଇ ସାରି ଥାଆନ୍ତ !


ମୋ ବୁଲେଇ ବଙ୍କେଇ କହିବାର

ଯୁକ୍ତି ନ ବୁଝି ପାରିଲେ

ଶେଷରେ ସେମିତି କଟାକ୍ଷରେ

ଚୁକ୍ତି ସମାପ୍ତ କରି କହି ଦିଅ-

"ଯା... ଆଉ କିଛି ମିଳିବନି"


ହିସାବ ଅଡ଼ୁଆ ଛିଣ୍ଡିଗଲେ 

ସେ ବ୍ୟବସାୟରେ ଆଉ କଅଣ 

ମଜା ରହିଯାଏ ଯେ ! 

ମୁଣ୍ଡ ନୁଆଇଁ ଆଣି 

ଅଛିଣ୍ଡା ବାକି ଉପରେ 

ଆହୁରି ବାକି ଚଢେଇ ଦିଏ

"ଅନଧିକୃତ ! ଭୁଲ ଭୁଲ !" 

କହି ଗର୍ଜି ଉଠ 

ମୁଁ ତତ୍ କ୍ଷଣାତ କହି ବସେ 

"ଯଦି ଭୁଲ, ତା ହେଲେ 

ଫେରେଇ ଦିଅ ସେ ଚୁମ୍ବନ କେଇଟି

ଯାହା ଏବେ ଦେଲି"

ଗମ୍ଭୀର ହୁଅ ତୁମେ

ମୁହଁର ଦ୍ରାଘିମା ନିଶ୍ଚଳ ରଖି କହି ଦିଅ

"ବହୁତ ଚାଲାକ ତୁମେ"


ତମେ କିନ୍ତୁ ଭଲ ଭାବେ ଜାଣ

ଏ ପ୍ରେମ ବ୍ୟବସାୟରେ 

ମୁଁ ଏତେ ଚାଲାକ ନୁହେଁ 

ନ ହେଲେ ଗୋଟିଏ ଚୁମ୍ବନ ଲାଗି

ସହସ୍ର କୋଶରୁ ଦଉଡି ଆସି ନ ଥାନ୍ତି

ତୁମ ପାଇଁ ଯେତେ ଫଳ ପୁଷ୍ପ 

ଟିକିଲି , ଗହଣା ଶାଢ଼ୀ ଧରିବୁଝିଲା ବୁଝିଲା ମୁହଁରେ

ଦୀର୍ଘ ଚୁମ୍ବନଟିଏ ଦେଇ

ନିବିଡ଼ ଆଲିଙ୍ଗନରେ

ଅନେକ ସେକେଣ୍ଡ 

ଲୁପ୍ତ କରିଦିଅ


ତୁମେ ସଂଖ୍ୟାରେ ନ ମାପି 

ମାପି ବସ ଅଧିକୃତ ହୋଇ ସାରିଥିବା

ମନର ଅଞ୍ଚଳ ସବୁର କ୍ଷେତ୍ରଫଳରୁ 

ଯେମିତି ପ୍ରେମ 

ନଈଟିଏ ହୋଇ 

ବହି ଯାଇଛି ସବୁ ସୀମା ଲଙ୍ଘି

ମନ ଉଦ୍ ଗମରୁ 

ଦେହ ତୀର୍ଥରେ ହଜି ଯିବା ଯାଏଁ

ସବୁ ନପା ଚୁପା ସରିଲା ପରେ

ଅବନତ ବଦନକୁ ସିଧା କରି

ମୋ ଆଡ଼କୁ ଚାହଁ ପୁରାତନ ପ୍ରତ୍ୟୟର ମୁହଁ ଦେଖିବାକୁ

ଓଠରେ ପ୍ରେମ ବୋଳି

ଓଲଟା ମତେ ପଚାର-  

"ଦେବି କଅଣ ତୁମକୁ

କଅଣ ଆଉ ବାକି ରଖିଛ କି !"





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract