STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ତୁମେ ବିଶ୍ଵକର୍ତ୍ତା ବିଶ୍ବବିହାରୀ

ତୁମେ ବିଶ୍ଵକର୍ତ୍ତା ବିଶ୍ବବିହାରୀ

1 min
252

ତୁମେ ବିଶ୍ଵକର୍ତ୍ତା ବିଶ୍ଵବିହାରୀ

         ତୁମକୁ ସର୍ବେ କରନ୍ତି ଗୁହାରି,

ସାରା ବିଶ୍ଵର ଡୋର ହାତେ ଧରି

        ରଖିଛ ସବୁ ତ ଆୟତ୍ତ କରି।


ତୁମେ ବିଶ୍ଵ ବ୍ରାହ୍ମାଣ୍ଡର ମଣିମା

         ଅଶେଷ ଅନନ୍ତ ତୁମ ମହିମା,

ତ୍ରିଭୁବନ କରୁଛ ପରିକ୍ରମା

       ତୁମ ରଚନାର ନାହିଁ ତ ସୀମା।


ଆକାଶେ ଖଞ୍ଜିଛ ସୂର୍ଯ୍ୟ ଚନ୍ଦ୍ରମା

       ପ୍ରକୃତିରେ ଭରିଛ ଯେ ସୁଷମା,

ତୁମେ ଏ ଜୀବଜଗତର ଆତ୍ମା

       ତୁମେ ହିଁ ପରଂବ୍ରହ୍ମ ପରମାତ୍ମା।


ପାହାଡ଼ ସାଗର ନଦୀ ଝରଣା

        ସବୁରେ ରହିଛି ତୁମ କରୁଣା,

କିଛିରେ ନାହିଁ ତ କିଛି ବି ଊଣା

         କି ସୁନ୍ଦର ତୁମ ପରିକଳ୍ପନା ।


ଗଢିଛ ସୁନ୍ଦର କରି ସଂସାର

         ଲାଗେ ଅନୁପମ ଅତି ମଧୁର,

ଅତୁଟ ବନ୍ଧନରେ ନିରନ୍ତର

        ରହିଛୁ ଭବେ ଗଢି ପରିବାର।


ଗଛଲତା ପଶୁପକ୍ଷୀ ସଜୀବ

        ସାରା ଜଗତ ଲାଗେ ଅଭିନବ, 

ସବୁରି ମଧ୍ୟରେ ଅଶେଷ ଭାବ

         ହୃଦୟେ କରିହୁଏ ଅନୁଭବ।


ଦିବସ ରଜନୀ ସଞ୍ଜ ସକାଳ

       ଅବିରତେ ତୁମେ ଆଶିଷ ଢାଳ,

ଅନ୍ଧାର ଆଲୁଏ ଜୀବ ସକଳ

        ହସ ଖୁସିରେ କାଟୁଛନ୍ତି କାଳ।


ଫୁଟାଇ ଫୁଲ ହସାଅ ଜଗତ

        କୃପାରେ ତୁମ ବରଷେ ଅମୃତ,

ପ୍ରାଣ ହୁଏ ଆନନ୍ଦେ ପୁଲକିତ

       ତୁମେ ଚରଣେ ସଭିଏଁ ଆଶ୍ରିତ।


ଭକ୍ତି ଭାରେ ତୁମକୁ ପ୍ରାର୍ଥନା

         କରୁଛି ପୂଜା ବ୍ରତ ଉପାସନା,

ପୂର୍ଣ୍ଣ କରିବାକୁ ମନସ୍କାମନା

     ଦୟା କରି ଫେଡ଼ ବାରେ ଯାତନା।


ତୁମେ କରୁଣାମୟ ହେ ଦୈତାରୀ

         ଭବ ସାଗରରୁ ରଖ ଉଦ୍ଧାରି,

ମନ ଭିତରେ ଭକ୍ତି ଦିଅ ଭରି

       ତୁମେ ବିଶ୍ଵକର୍ତ୍ତା ବିଶ୍ବବିହାରୀ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract