ତୁମେ ଅଖିଳର ତୁମେ ନିଖିଳର
ତୁମେ ଅଖିଳର ତୁମେ ନିଖିଳର
ଅଖିଳ ବ୍ରହ୍ମାଣ୍ଡ ନାଥ ସ୍ୱୟଂ ଜଗନ୍ନାଥ
ନିଖିଳ ଭୁବନ ତୁମ ଦ୍ୱାରା ଆଚ୍ଛାଦିତ
ତୁମେ ରାମ ତୁମେ କୃଷ୍ଣ ତୁମେ ଜଗନ୍ନାଥ
ପରଂବ୍ରହ୍ମ ଦାରୁବ୍ରହ୍ମ ରୂପେ ବିରାଜିତ
ତୁମରି ଇଙ୍ଗିତେ ସର୍ବ ପ୍ରାଣୀ ଆତଯାତ
ତୁମେ ନିରାକାର ପୁଣି ନାହିଁ ଆଦି ଅନ୍ତ
ତୁମେ ଭିଆଇଛ ସୃଷ୍ଟି ଏ ଜୀବ ଜଗତ
ମାନବଙ୍କୁ ଦିବ୍ୟଜ୍ଞାନ ଦେଇଛ ତ୍ୱରିତ
ମାନବଙ୍କୁ ଶ୍ରେଷ୍ଠ ଜୀବ କରିଛ ଘୋଷିତ
ଶ୍ରେଷ୍ଠ ଜୀବ ଲଭି ଅଛି ଜ୍ଞାନ ହିତାହିତ
ତ୍ରେତୟାରେ ରାମ ରୂପେ ହେଲେ ଆବିର୍ଭୁତ
ଦ୍ଵାପର ଯୁଗରେ କୃଷ୍ଣ ରୂପେ ହେଲେ ଜାତ
ଯୁଗ ପରେ ଯୁଗ ତୁମ ମହିମା ବିଖ୍ୟାତ
ପାପ ଭାରା ଉଦ୍ଧାରଣେ ହୋଇଛ ସମ୍ଭୂତ
କଳି କାଳେ ନୀଳାଚଳେ ସ୍ଵୟଂ ଜଗନ୍ନାଥ
ମାନବୀୟ ଲୀଳା ଖେଳା ହୁଏ ପ୍ରକଟିତ
ଶରଣ ରକ୍ଷଣ ଭକ୍ତ ହୃଦୟ ର ନାଥ
ତୁମେ ସତ୍ୟ,ତୁମେ ପ୍ରାଣ,ତୁମେ ମୁକ୍ତି ପଥ
କଳି କାଳେ କିମ୍ପା ଦାରୁ ରୁପେ ବିରାଜିତ
ରତ୍ନ ସିଂହାସନେ ବସି ଦେଖୁଅଛ ମାତ୍ର
ତୁମେ ପରା ମହାବାହୁ ଅନାଥର ନାଥ
ଅଧା ଗଢା ଦିଅଁ ହୋଇ କିମ୍ପା ବିରାଜିତ
ରାମ କୃଷ୍ଣ ଅବତାରେ ହେଲ ଦେହବନ୍ତ
ଏ କଳି କାଳରେ କିମ୍ପା ହେଲ ଦାରୁଭୂତ
ବଡ ଦେଉଳରେ ବଡ ଠାକୁର କଥିତ
ବଡ ଦାଣ୍ଡେ ଦେଖି ହୁଏ ତୁମ ବଡ ନେତ
ବଡ ପ୍ରଭୁ ଥାଉ ଥାଉ ଆଜି ମୁଁ ଅନାଥ
ତଥାପି ଶ୍ରୀଚରଣ ରେ ହୋଇଛି ଆଶ୍ରିତ
ଲୋଭ ମୋହ ମାୟା ସହ ମନ କବଳିତ
ଭୌତିକ ଲାଳସା ଥାଇ ହୃଦ କଳୁଷିତ
ତୁମ ପାଦ ପଦ୍ମେ କରୁଅଛି ପ୍ରଣିପାତ
କୃପା କରି ଭବ ବନ୍ଧନ ରୁ କର ମୁକ୍ତ
