ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ
ତୁମ ପରି ଛୋଟ ପିଲାଟିଏ ସିଏ
ନାଆଁ ତା ମଧୁସୂଦନ,
କଟକ ଜିଲ୍ଲାର ସତ୍ଯଭାମାପୁର
ଗାଆଁରେ ତାଙ୍କ ଜନମ ।
ଅଜାଙ୍କ ନାମଟି ଭଜନାନନ୍ଦ ଯେ
ଅଟନ୍ତି ସେ ଜମିଦାର,
କରଣ ଘରର ଭାରି ନାଆଁ ଥିଲା
ସୁଖ ଦୁଃଖ ଭରସାର ।
ଭଜନାନନ୍ଦଙ୍କ ପୁଅ ଚଉଧୁରୀ
ରଘୁନାଥ ଦାସ ଥିଲା,
ନାଆଁ ଜମିଦାର ମାତ୍ର ସେ ଗରିବ
ଦିନୁ ଦିନ ହୋଇଗଲା ।
ପେଟ ପୋଷିବାକୁ କଟକକୁ ଆସି
ଓକିଲାତି ରଘୁ କଲେ ,
ଜମିଦାର ଘର ପୁଅ ବୋଲିକରି
ସୁଖ୍ୟାତି ଅର୍ଜନ କଲେ ।
ମଧୁଙ୍କର ପିତା ରଘୁନାଥ ଦାସ
ମାତା ଥିଲେ ପାରବତୀ,
କଟକ କୋର୍ଟରେ ରଘୁ କରୁଥିଲେ
ଅତି ପ୍ରିୟ ଓକିଲାତି ।
ସେ ଅଠର ଶହ ଅଢ଼ଚାଳିଶର
ଅପ୍ରେଲର ଅଠେଇଶ ,
ମଧୁ ଜନ୍ମନେଲେ ପାର୍ବତୀଙ୍କ କୋଳେ
ଖେଳିଗଲା ନୂଆ ହସ ।
ସାଆନ୍ତ ମା'ଙ୍କ କୋଳରେ ବଢ଼ିଲେ
ସେ ଶିଶୁ ମଧୁସୂଦନ,
ଆଈ ଶୁଣାଇଲେ ଅତୀତ ଗୌରବ
ନାତି ଶୁଣେ ପାରି କାନ ।
ଗାଆଁ ଚାଟଶାଳୀ ନାମ ଲେଖାଇଲେ
ପାଠପଢ଼ା ଆରମ୍ଭିଲେ,
ଖଡ଼ିପାଠ ସାରି ତାଳପତ୍ର ପାଠ
ଶିଘ୍ର ଶିଘ୍ର ପଢ଼ିଗଲେ ।
ଅତି ବୁଦ୍ଧିମାନ ଶ୍ରୀ ମଧୁସୂଦନ
ଘରୋଇ ପାଠ ପଢ଼ିଲେ,
ବିଚକ୍ଷଣ ବୁଦ୍ଧି ପୁରାଣ ଶାସ୍ତ୍ରରେ
ବହୁ ରୁଚି ରଖିଥିଲେ ।
ତୁଳସୀ ବାସଇ ଦୁଇ ପତରରୁ
ମଧୁ ବାସେ ଛୋଟବେଳୁ,
ହାରିଯିବା ପିଲା ମଧୁ ନୁହେଁ ସିନା
ପିତା ମାତା ପାଳୁ ପାଳୁ ।
ମଧୁସୂଦନଙ୍କ ପାଠପଢ଼ା ପାଇଁ
କଟକରେ ନାମ ଲେଖା,
ଜିଲ୍ଲା ସ୍କୁଲ ସେହି କଟକ ଜିଲ୍ଲାର
ଆରମ୍ଭ ହୋଇଲା ଶିକ୍ଷା ।
ଆଜି ମନେପଡ଼େ ଚାଟଶାଳୀ ବେଳ
ଗାଆଁ ସାଥି ପାଠପଢ଼ା,
ବରଷାରାଣୀଙ୍କ ବରଷା ଧାରାରେ
ରାସ୍ତା ଥିଲା ଖାଲ ଗଡ଼ା ।
ତରତର ହୋଇ ମଧୁ ଆସୁଥିଲେ
ପଢ଼ିବାକୁ ଚାଟଶାଳୀ,
ରାସ୍ତା ଖାଲଟାରେ ଖସିଗଲା ଗୋଡ଼
ପଡ଼ିଗଲେ ମୁହଁମାଡ଼ି ।
ଓଦା ସରସର ପାଣି କାଦୁ ହୋଇ
ପହଞ୍ଚିଲେ ଚାଟଶାଳୀ,
ଗୁରୁଜୀ ଦେଖିଲେ ପିଲାଟିର ଦେହ
ପାଣିକାଦୁ ଓଦା ବଳି ।
ଅନେକ ପିଲା ତ ଓଦା ହୋଇକରି
ଆସିଥାନ୍ତି ବିଦ୍ୟାଳୟ,
ମାତ୍ର ମଧୁଙ୍କର ଗଭୀର ଆଗ୍ରହ
ଶ୍ରଦ୍ଧା ଥିଲା ପାଠେ ଲୟ ।
ଛୋଟ ମଧୁଙ୍କର ମନେ ପଡ଼ିଗଲା
ବରଷା ଦିନର କଥା,
ଦଶହରା ବେଳେ ସାଥି ପିଲା ଡାକି
କାମେ ଲଗାଇଲା ମଥା ।
ପିଲାମାନଙ୍କର କାମ ଦେଖିକରି
ଲୋକେ ହେଲେ ଦଳ ଦଳ ,
ଅଳପ ଦିନରେ ଖାଲ ଢିପ ରାସ୍ତା
ହୋଇଗଲା ସମତୁଲ ।
ଛୋଟ ମଧୁଙ୍କର ଏହିପରି କାର୍ଯ୍ଯ
ଦେଖି ଲୋକେ ହେଲେ କାବା,
ଗୁରୁଜୀ କହିଲେ ଭଲ କାମ କଲେ
ଦୁନିଆଁରେ ବଡ଼ ହେବା ।
ଭଲ ପାଠ ପଢ଼ି ମଧୁ ବଡ଼ ହେଲେ
ହୋଇଗଲେ ବାରିଷ୍ଟର,
ଓଡ଼ିଶା ମାଟିର ପ୍ରଥମ ଓକିଲ
ସେ ଏମେ ପାଠୁଆ ନର ।
ଓଡ଼ିଆ ଭାଷାର ସୁରକ୍ଷା ପାଇଁକି
ଲଢ଼ିଲେ ଜୀବନଯାକ,
ସ୍ବତନ୍ତ୍ର ଓଡ଼ିଶା ଗଠନ କରିଲେ
ରଖିଲେ ଓଡ଼ିଶା ଟେକ ।
ତୁମ ପରି ଛୋଟ ପିଲାଟିଏ ସିଏ
ମଧୁସୂଦନ ତା ନାଆଁ,
ତାଙ୍କରି ନାମରେ ସୂରୁଯ ଉଦୟ
ଉତ୍କଳ ଜନନୀ ଗାଆଁ ।
