ତୁମ ନୀରବତା
ତୁମ ନୀରବତା
ତୁମ ନୀରବତା ମନେ ଦିଏ ବ୍ୟଥା
ଏ ଛାତି ପାରେନା ସହି
ହସ ହସ ମୁହଁ ସଦ୍ୟ ଗୋଲାପ ର
ମଉଳିଛି କାଇଁ ପାଇଁ ।
ପ୍ରାଣ ପ୍ରିୟା ମୋର ମୋତେ କ୍ଷମା କର
ହୋଇ ଗଲା ଟିକେ ଡେରୀ
ବହୁ ଦୂର ପଥ ଅତିକ୍ରମ କରି
ଆସି ପାରିଲିନି ଫେରି ।
କର୍ତ୍ତବ୍ୟ ମୋହର ତୁମ ସଉତୁଣୀ
ଓଗାଳି ଥିଲା ମୋ ପଥ
ଦେଶ ମାତୃକାର ସେବା ପରାଣ ଟା
କରି ଥିଲା ପରା ସତ୍ୟ ।
ଚଦ୍ରମୁଖୀ ମୋର ଏତେ ଅଭିମାନୀ
ଯାଇଛି ନୀରବେ ଶୋଇ
କୋଳେଇ ନେବା କୁ ଆଜି ସେ ଉଠୁନି
ମୋତେ ପର କରି ଦେଇ ।
ଅଫେରା ରାଇଜେ ଛାଡି ଗଲ ଚାଲି
ଭୁଲିଲ ଘର ସଂସାର
ତୁମ ପିଲା ଛୁଆ ସ୍ୱାମୀ ହତଭାଗ୍ୟ
କରି ତୁମେ ସାତ ପର ।
ଛୋଟ ଭୁଲ ମୋର ଧର ନାହିଁ ପ୍ରିୟା
ଫେରି ଆସ ମୋର ପାଶେ
ଯଦି ନଫେରିବ ତେବେ ନେଇ ଯାଅ
ମୋତେ ସେ ଅଫେରା ଦେଶେ ।
ତୁମ ବିନା ମୁଁ ଯେ କେମିତି ବଞ୍ଚିବି
ନିଜକୁ ପାରେନା ବୁଝାଇ
ନିଦ୍ରା ଭାଜି ଧନ ଉଠି ବସ ଥରେ
ନିଅ ହେ ମୋତେ କୋଳେଇ ।
ତୁମ ନୀରବତା ଲୁହ ରେ ଭସାଇ
କୋହ ରେ ଭିଜାଇ ମୋତେ
ଯାତନା ଜୁଇ ରେ ଜାଳୁ ଅଛି ପ୍ରିୟା
ତୁମ ବିନା ଦିନ ବିତେ ।
ପ୍ରତି ଟି ମୁହୂର୍ତ୍ତ ଜୀଉଁଛି ଆଜି ମୁଁ
ଜୀଅନ୍ତା ଶବ ଟେ ସାଜି
ମିଛ ରେ ବଞ୍ଚିଛି ସପନ ରେ ଶୁଣି
ତୁମରି ପାଦ ପାଉଁଜି ।
ଦାଇତ୍ୱ ତୁମର ତୁଲାଇ ସାରି ମୁଁ
ତୁମ ପାଖେ ଯିବି ଫେରି
କଥା ଦିଅ ମୋତେ କରିବ ଅପେକ୍ଷା
ହେଉ ହେଲେ ଯେତେ ଡେରୀ ।

