ତୁମ ନୀରବତା
ତୁମ ନୀରବତା
ତୁମ ନୀରବତା ଭରୁଛି ହୃଦୟେ
ଅନେକ ଗଭୀର ବ୍ୟଥା,
କେଉଁ ଅଭିମାନେ କଲ ଏତେ ପର
କହୁନାହଁ ପଦେ କଥା ।
କେବେ ତ ଜୀବନେ ଦେଇନି ଆଘାତ
ଊଣା ବି କରିନି ପ୍ରୀତି,
ତୁମ ମୁଖେ ହସ ଭରିବାକୁ ସଦା
ପ୍ରୟାସେ କରିନି ତ୍ରୁଟି ।
ହୃଦୟ ଭରି ମୁଁ ଭଲ ପାଉଥିଲି
ଛଳନା କେବେ ନଥିଲା,
ମଧୁଭରା ତୁମ ମୁଗ୍ଧ ଅନ୍ତରରେ
ମୋ ପ୍ରୀତି ଯେ ଭରିଥଲା ।
ଭାବିଲନି ଥରେ କେମିତି ବଞ୍ଚିବି
ତୁମ ବିନା ଏକା ଏକା,
ବିରହ ଜୀବନ କେମିତି ବିତିବ
ଅକୁହା ବେଦନା ଲେଖା ।
ଶୁଷ୍କ ମରୁଭୂମି ଦେଖା ବି ଯାଏନା
ଛୋଟ ଏକ ମରୀଚିକା,
ଜାଣେ ମୁଁ କେବେ ବି ଖୋଜି ପାଇବିନି
ଜୀବନେ ତୁମରି ଦେଖା ।
ମନେ ପଡ଼ ତୁମେ ମନେ ପଡେ ସ୍ମୃତି
ଆଖିରେ ଉଦାସ ଭରେ,
ମନା ମାନେ ନାହିଁ ଦୁଇ ଆଖିରୁ ମୋ
ଅଶ୍ରୁର ଶ୍ରାବଣୀ ଝରେ ।
ଦେଇଥିଲ କଥା ରହିବ ବୋଲି ଯେ
ସାରା ଜୀବନ ମୋ ସାଥେ,
ଭୁଲିଗଲ ତୁମେ ତୁମରି ଶପଥ
ଏକା କରିଦେଲ ମୋତେ ।
ଖୋଜୁଛି ତୁମକୁ ଶୂନ୍ୟ ଆକାଶରେ
ରଜନୀର ଅନ୍ଧକାରେ,
କାଳେ ଜ୍ୟୋତି ହୋଇ ଭାସିଯିବ ଥରେ
ମୋ ଯୁଗଳ ନୟନରେ ।
ଅଧା ବାଟେ ଛାଡି ଚାଲିଗଲ ତୁମେ
କାହାଣୀ ରହିଲା ଅଧା,
ମୋ ଜୀବନ ଦୀପ ଲିଭାଇ ଦେଉ ଗୋ
ତୁମ ଚିର ନୀରବତା ।

