STORYMIRROR

Hrushikesh Satpathy

Abstract

3  

Hrushikesh Satpathy

Abstract

ତୁମ ଇଚ୍ଛାରେ ଜଗତୀ

ତୁମ ଇଚ୍ଛାରେ ଜଗତୀ

1 min
9

ଆଦ୍ୟ ଆଷାଢ଼ ମୁଁ ଅର୍ଦ୍ଧାଭିସାରିଣୀ

   ଅଳ୍ପଭିଜା ମୋର ପାଦ ।

ଅଭିସାରିକା ମୁଁ ହେବି କି ନ ହେବି

   ଭୟ ଲାଗେ ଅପବାଦ !


ଅନୁରାଗ ଭରା ଅଭିଲିପ୍ସା ନେଇ

   ପାଦ ଦେଲି ଅଚଳାରେ ।

ଅଚଳା ଭିଜିଲା ରଜସ୍ୱଳା ହେଲା

   ନୂଆ ସୁରଭି ଆଶାରେ ।


ତୀର୍ଥ ଶ୍ରୀକ୍ଷେତ୍ରରେ ଦେବସ୍ନାନ ସହ

  ନେତ୍ରୋତ୍ସବ,ଘୋଷ ଯାତ୍ରା ।

ଦର୍ଶନାଭିଳାଷୀ ଭକତ ମେଳରେ

   ଦେଖନ୍ତି ଶ୍ରୀକ୍ଷେତ୍ର ଯାତ୍ରା ।


ଆସିଲି ସିନା ମୁଁ ଅଭ୍ୟର୍ଥିତା ହୋଇ

   ପୁଣ୍ୟୋତ୍କଳ ଅଗଣାରେ ।

ସର୍ବତ୍ର ଦେଖିଲି ତୀବ୍ର ହାହାକାର

   ଯଶୋଧାରା ଉତ୍କଳରେ ! 


ପୁରୀ ଶ୍ରୀକ୍ଷେତ୍ରର ବଡ ଦାଣ୍ଡ ଆଜି

   ଶିରୀ ଥାଇ ସର୍ବହରା ।

ନନ୍ଦିଘୋଷ ପୃଷ୍ଠ ଆଦ୍ୟ ବିରହରେ

    ଅବିରତ ଅଶ୍ରୁଝରା ।


ଆକାଶ ସାଗର ସୂର୍ଯ୍ୟ ଚନ୍ଦ୍ର ତାରା 

    ଅକସ୍ମାତ ହତବାକ୍ ।

ପଥର ଦେଉଳ ଆଖି ବି ଅଶ୍ରୁଳ

   ପକ୍ଷୀ ନିଳୟ ନିର୍ବାକ୍ ।


ଘରକୋଣେ ଆଜି ଭକତ କାନ୍ଦୁଛି

   ନାଥ ଥାଇ ସେ ଅନାଥ ।

ଅଣସର ଗୃହେ ନୀରବ ଅଶ୍ରୁରେ

   ଶ୍ୱାସରୁଦ୍ଧ ଜଗନ୍ନାଥ !


ଜଗତର ନାଥ ହେବେ କି ଅନାଥ

   ନ ଯାଇ ମାଉସୀ ଘର ?

ରଥ ଗଡ଼ିବନି ଯାତରା ହେବନି

   ନିର୍ବାକ୍ କଳା ଠାକୁର !


ପରମ୍ପରା ଆଜି ସ୍ତବ୍ଧ ନିର୍ବିକାର

   ସଂସ୍କୃତି ସ୍ୱୟଂ ଲଜ୍ଜିତ ।

ବେଦପ୍ରଣୋଦିତ ଅଧିନିୟମ ବି

  ସଂଭ୍ରମେ ନତମସ୍ତକ ।


ବିବ୍ରତ ବସୁଧା ଶରଧା ବାଲି ବି

   ସଙ୍କୁଚିତ ସଂକ୍ରମିତ ।

ବାଇଶି ପାହାଚ ଲୁଚି କାନ୍ଦୁଅଛି

   ଦରଦରେ ଦଗ୍ଧୀଭୂତ ।


ଆଦ୍ୟ ଆଷାଢ଼ ମୁଁ ଆଶା ରଖିଥିଲି

   ଆସନ୍ନ ଆସଙ୍ଗଲିପ୍ସା ।

ଦୀର୍ଘ ଏକ ମାସ  ଜଗତନାଥଙ୍କ

   ସାନ୍ନିଧ୍ୟରେ ଉଚ୍ଚ ଆଶା ।


ନ୍ୟାୟ ପାଳିକାଙ୍କ କଠୋର ନିୟମେ

   ସ୍ଥାଣୁ ଆଜି ଧର୍ମ କ୍ଷେତ୍ର ।

ଭକତ ଜୀବନ ବନ୍ଧା ଦେଇ କେବେ

  ହେବେ କି ଠାକୁର ପ୍ରୀତ ?


ଭକତଙ୍କୁ ନେଇ  ଭକତଙ୍କ ପାଇଁ

   କାଳିଆଙ୍କ ଏହି ଖେଳ ।

ଅଭିମାନେ ଆଜି  ଓହରି ଯାଇଛି

   ପରିସ୍ଥିତି ବି ଜଟିଳ ।


କୁତ୍ସିତ କରୋନା ନର୍କ ନିର୍ଯାତନା

   ନିଷ୍ଠୁର ହୋଇ ବାଣ୍ଟିଲୁ ।

ଦେବଭୂମି ଆମ  ଜାତି ସଂସ୍କୃତିରେ

    ଅପ ସଂସ୍କୃତି ଭରିଲୁ ।


ଆଦ୍ୟ ଆଷାଢ଼ ମୁଁ ଅଟଳା ଅଚଳା

   ମୋ' କର୍ତ୍ତବ୍ୟ କରିଯିବି ।

ନିଜେ ବି ଭିଜିବି  ଭିଜି ଭିଜେଇବି

   ଶ୍ରୀକ୍ଷେତ୍ରରେ ହଜିଯିବି ।


ଇଚ୍ଛାମୟ ତୁମେ  ଇଚ୍ଛାଧୀନ ନୁହଁ

    ତୁମ ଇଚ୍ଛାରେ ଜଗତୀ ।

ତୁମ ଇଚ୍ଛା ଆଗେ ନିମିତ୍ତ ମାତର

    କରୋନାର ଅପକୀର୍ତ୍ତି ।


ନନ୍ଦିଘୋଷ ଏବେ ଗଡିବ କି ନାହିଁ

   ତୁମେ ହିଁ ତା'ର ସିଦ୍ଧାନ୍ତ ।

ଭକତଙ୍କ ପାଇଁ ଏତିକି କର ହେ

   କରୋନାର ହେଉ ଅନ୍ତ !


Rate this content
Log in

Similar oriya poem from Abstract