ତୁମ ଗାଆଁ
ତୁମ ଗାଆଁ
ଝରିଯାଏ ନଈ ଗାଆଁ ମୁଣ୍ଡ ଦେଇ
କାଚକେନ୍ଦୁ ନଈଜଳ,
ଥିରି ଜଳଧାରେ ମୀନ ଖେଳୁଥାଏ
କରୁଥାଏ କଳକଳ |୧|
ଗାଆଁ ଆମ୍ବତୋଟା ଆଉ ନଦୀପଠା
ବହେ ସୁଲୁସୁଲୁ ବାଆ,
ଆମ୍ବ ବଉଳର ବାସନା ମହକେ
ସୁରଭିତ ଗାଆଁ ନାଆଁ |୨|
ତୁମ ଗାଆଁ ସିନା ଏମିତି ଅଟଇ
ଘଣ୍ଟି ବାଜଇ ମନ୍ଦିରେ,
ଶୁଭ ମନ୍ତ୍ରଧ୍ବନି ପବିତ୍ର କରଇ
ମନ୍ତ୍ର ଶୁଭଇ କର୍ଣ୍ଣରେ |୩|
ଯେତେ ପ୍ରଜାପତି ତୁମ ବଗିଚାରେ
ହୋଇଯାଇଛନ୍ତି ଠୁଳ,
ଗାଆଁର ସମସ୍ତ ଛୋଟବଡ଼ ପିଲା
ପଡ଼ିଆରେ ସଭେଁ ମେଳ |୪|
ତୁମ ଗାଁ ପୋଖରୀ ଜଳରେ ଚତୁରୀ
ମୁହଁରେ ଲଗାଏ ତେଲ ,
ଗୋରୀ ମୁହଁଟାରେ ହଳଦୀ ମାଖଇ
ସତେ କରୁଥାଏ ଗେଲ |୫|
ତୁମ ଗାଆଁ ରାସ୍ତା ପାଦରେ ପାଦକୁ
ଲଗାଇ କି ଚାଲୁଥାଏ ,
ଗାଆଁର ମହକ ଗୋଲାପ ଫୁଲରେ
ମହମହ ବାସୁଥାଏ |୬|
ମଲ୍ଲୀ ଗୋଲାପରୁ ଆହୁରି ମହକ
ତୁମ ଗାଆଁ ସୁନାଗୋରୀ,
ଯେପରି ମୟୂରୀ ପୁଚ୍ଛ ଟେକି ନାଚେ
ଫିଟାଇ ଦେଇ କବରୀ |୭|
ସେନେହ ମମତା ଖୁନ୍ଦାଖୁନ୍ଦି ହୋଇ
ରହିଥାନ୍ତି ପ୍ରତିଘରେ,
ପ୍ରତି ଘର ଲାଗେ ମମତା ମନ୍ଦିର
ତୁମ ଗାଆଁ ସଂସାରରେ |୮|
ସବୁଠୁଁ ମଧୁର ଗାଆଁର ସରାଗ
ନିତି ନିତି ଟାଣୁଥାଏ,
ସରାଗ ବନ୍ଧନ ଅତୁଟ ବନ୍ଧନ
ପ୍ରଣୟରେ ବାନ୍ଧୁଥାଏ |୯|
ତୁମ ଗାଆଁ ପରା ସରଗର ତାରା
ଉଜ୍ବଳ ନକ୍ଷତ୍ରଟିଏ,
ସବୁଜ ବେଣୀରେ ବନ୍ଧା ହୋଇଥାଏ
ପ୍ରାଣପକ୍ଷୀ ଝୁରୁଥାଏ |