ତୁମ ଅପେକ୍ଷାରେ
ତୁମ ଅପେକ୍ଷାରେ
ଆସିବାର ଅଛି ଯଦି ସମୟରେ ଆସ
ବିଳମ୍ବ କରିବ ନାହିଁ
ଗୋଧୂଳି ବେଳାରେ ସଞ୍ଜ ନଇଁଗଲେ
ଦେଖି ମୁଁ ପାରିବି ନାହିଁ।
କଥା ଦେଇଥିଲ ମଥା ମୋର ଛୁଇଁ
ସଅଳ ଆସିବ ଆଜି
ଦୁହେଁ ମିଶି ଆମେ କରିବା ଆଳାପ
ପାଗଳ ପ୍ରେମିକ ସାଜି।
ଶୀତଳ ସମୀର ଶରୀରକୁ ମୋର
ଛୁଉଁଥାଏ ଯେତେଥର
ତୁମ କଥା ଭାବି ମନ ମୋର ହୁଏ
ବିଚଳିତ ବାରମ୍ବାର।
ଜଗି ମୁଁ ବସିଛି ଏକା ଏକା ସାଥୀ
ଆସିବା ବାଟକୁ ଚାହିଁ
ସଞ୍ଜ ନଇଁ ଆଜି ଅନ୍ଧାର ହେଲାଣି
ତୁମେ ତ ଆସିଲ ନାହିଁ।
ମନରେ ମୋହର ପ୍ରଶ୍ନବାଚୀ ଆସେ
କାହିଁ ଆସିଲନି ତୁମେ ?
ପୂର୍ବର ଦେଖାରେ ମିଳିମିଶି କିଛି
ଭୁଲ୍ ତ କରିନେ ଆମେ ?
ତୁମ ଅପେକ୍ଷାରେ ଭାବିଲି ରହିବି
ଚିରଦିନ ପାଇଁ ମିତ
ଯେତେ ମୁଁ ଚାହିଁଲି ରହିପାରିଲିନି
ମନ ହେଲା ବିଚ୍ଛୁରିତ।
ଅନେକ ଦୁଃଖରେ ଭାବ ପ୍ରବଣରେ
ମୁଣ୍ଡ ଲାଗୁଥିଲା ଭାରି
ଅପେକ୍ଷା ଅନ୍ତରେ ଅନ୍ଧାର ରାତିରେ
ଘରକୁ ଆସିଲି ଫେରି।
