ତୁମ ଆଗମନେ
ତୁମ ଆଗମନେ
ବସନ୍ତ ଆଣିଛି ରଙ୍ଗ ପଟୁଆର
ରମଣୀୟ ରୂପ ରାଜି
ମାଖିଅଛି ପ୍ରିତୀ ଅବିରର ଆଭା
ପ୍ରକୃତି ହୋଇଛି ସାଜି !
ଫଗୁଣର ଫଗୁ ଗଗନରେ ଉଡ଼େ
କି ସୁନ୍ଦର ସେହି ଶୋଭା
ମଳୟ ପରଶେ ଧରଣୀ ହରଷେ
ମାଧୁର୍ଯ୍ୟ ସେ ମନଲୋଭା !
କୋଇଲି ବଜାଏ ମିଳନର ବଂଶୀ
ସୁରେ ସୁରେ ନାଚେ ବାଆ
ମଧୂପ ସ୍ପର୍ଶରେ ଫୁଲ ହସୁଥାଏ
ରୋମାଞ୍ଚ କି ଦୃଶ୍ୟ ଆହା !
ଗଙ୍ଗଶିଉଳିର ମୃଦୁ ବାସନା ରେ
ସନ୍ଧ୍ୟା ଲାଗେ ରମଣୀୟ
ପଳାଶ ର ରଙ୍ଗ ଝଟକାଏ ଦିଗ
ସୌନ୍ଦର୍ଯ୍ୟ କି କମନୀୟ !
ବସନ୍ତ ଆଣିଛି ମିଳନର ପର୍ବ
ପ୍ରକୃତି ସୌନ୍ଦର୍ଯ୍ୟ ଭରି
ଶ୍ୟାମ ସଙ୍ଗେ ରାଧା ହୋଇବ ମିଳନ
ପ୍ରିତୀ ମଧୁ ଯିବ ଝରି !
ଆହେ ଋତୁରାଜ ତୁମ ଆଗମନେ
ପୃଥିବୀ ହସଇ ଆଜି
ମାଟି ଠୁ ଆକାଶ ଗାଉଥାନ୍ତି ଗୀତ
ତୁମ ପ୍ରିତୀ ସ୍ପର୍ଶେ ଭିଜି !

