ତୁ ଆସିବା ପରେ
ତୁ ଆସିବା ପରେ
କାଲି
କ୍ଷଣିକ ମୂହୁର୍ତ୍ତ ପୂର୍ବରୁ
ବର୍ତ୍ତମାନର ଟିକକ ଆଗରୁ
ଯାହା ଆଜି ଏ ଜୀବନ ପାଇଁ
ପାଲଟିଛି ଅତୀତ
ହଁ,ସେଇ କାଲି
ଜୀଇଁ ବି ଥିଲି
ଜୀବନ ମରୁ ଯାତ୍ରାର ପଥରେ
ଏକ ଅସହାୟ ପଥିକଟିଏ
ନିଃସଙ୍ଗ, ନିର୍ଜନେ ନିର୍ଜୀବ ହୋଇ
ସଂଘର୍ଷର ଉପାନ୍ତରେ ସୈନିକଟିଏ
ନ ଥିଲି ହାରି
ଜୀଇଁ ବାର ପ୍ରୟାସ ଥିଲା ଜାରି ।
ହଁ ଆଜି ...ଆଜି...ଆଜି
କାଲିର ପ୍ରତିବାଦର ଚିତ୍କାର ଏ ନୁହେଁ
ଖୁସିର ଆହ୍ବାନର ସ୍ବର
ଅନ୍ଧାରରେ ଆଲୋକର ସନ୍ଧାନ ଭଳି
ମରୁଭୂମିରେ ଧାରା ଶ୍ରାବଣର ଉପସ୍ଥିତ ପରି
ତୁମେ
ଫୁଟିଗଲ ମୋ ଅଗଣାରେ
ବସନ୍ତର ବାସନ୍ତୀ ଟିଏ ହୋଇ
ରଙ୍ଗେଇ ଦେଲ
ଫଗୁଣର ପ୍ରୀତିର ଫଗୁରେ
ଝରିଗଲ ମୋ ହୃଦୟରେ
ଝରା ଶ୍ରାବଣୀ ପରି
ଭରିଦେଲ ଅସରନ୍ତି ହସ
ମଧୁମକ୍ଷିକାର ମଧୁପରି ।
ତୁମରି ପାଇଁ
ହଁ ତୁମରି ପାଇଁ
ହସିଲା ମୋ ଅଗଣା
ଭରିଲା ମୋ ଘର
ନାଚିଲା ମୋ ମନ
ଧନ୍ଯ ଧନ୍ଯ ହେଲି ମୁଁ
ତୁମରି ଛୁଆଁରେ
ତୁମରି ଆଗମନରେ
ହେଲେ
ଆଜିର ଏଇ ଖୁସି ପାଇଁ
କାହାର ଏ ଆଶୀର୍ବାଦ
କାହାର ଏ ପ୍ରୟାସ
ନା ଅତୀତର ସେଇ
ସଂଘର୍ଷମୟ ମୂହୁର୍ତ୍ତର ଫଳାଫଳ
ନା ମୋ ନୀରବତାର ପ୍ରତିକ୍ରିୟା
ନା ମୋ ଅଦେଖା ଲୁହର ଶୀତଳତା ।
ଉତ୍ତର ନାହିଁ ଆଉ ମୋ ପାଖରେ
ଶବ୍ଦ ନାହିଁ ଆଉ ମୋ ଓଠରେ
ବାକ୍ଯ ନାହିଁ ଆଉ ମୋ ହୃଦୟ ଫର୍ଦ୍ଦରେ
କାହିଁକି ନା କେଉଁଠି ବି
ବିନ୍ଦୁଟେ ଶୂନ୍ଯସ୍ଥାନ ନାହିଁ ।
ଅଛି...ଅଛି କେବଳ
ମୋ ରକ୍ତରେ
ମୋ ମନରେ
ମୋ ପ୍ରାଣରେ
ମୋ ହୃଦୟରେ
ଏକ ବିସ୍ତୃତ ଚାରଣଭୂମି
କେବଳ ତୁମରି ପାଇଁ
ଯେଉଁଠି ତୁମେ ହୋଇଯିବ
ସବୁଜମୟ
ଆପଣାମୟ
ଆନନ୍ଦମୟ
ଭିଜାଇଦେବ,ବୁଡେଇଦେବ
ତୁମର ସେଇ
ଅମୃତମୟ ସ୍ନେହ ପ୍ରୀତି ବୋଳା
ପଣତ ତଳେ
ସେଇଠି ବାନ୍ଧି ହୋଇଯିବି
ସାତ ଜନ୍ମ ପାଇଁ
ଆପଣାପଣର ରଜ୍ଜୁରେ ଛନ୍ଦି ହୋଇ ।

