STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଟଙ୍କା

ଟଙ୍କା

2 mins
247

ଟଙ୍କା ତ ଫଳେ ନାହିଁ ଗଛରେ

ମାତ୍ର ଖସିପଡେ ଇଛା ଅନିଚ୍ଛାରେ

ପଦିଏ ଦରଦୀ ମିଠା ବୋଳା ଚିକ୍କଣ କଥାରେ

ଅନ୍ତରର କୋହ ମିଶା ଦୁଇ ଟୋପା ଲୁହରେ

କେବେ ପୁଣି ସମ୍ପର୍କର ବାଧ୍ଯ ବାଧକତାରେ

ଅବା ଆଉ କେବେ ଅପ୍ରତ୍ୟାଶିତ ଲାଭର ଆଶାରେ।

ଟଙ୍କା ଅର୍ଜନ ହୁଏ କଠିଣ ପରିଶ୍ରମରେ

ହାଡଭଙ୍ଗା ଦେହଥରା ଖଟଣିରେ

ମୁଣ୍ଡ ଝାଳର ସ୍ବାଦ ଅନୁଭବ ହେଉଥାଏ ତୁଣ୍ଡରେ

ଏଇ ଟଙ୍କା ଅର୍ଜନ କରିବା ପାଇଁକି

ସହିବାକୁ ପଡ଼ିଥାଏ ଉଚ୍ଚରକ୍ତଚାପର ଯାତନା

କେତେ ମାନସିକ ନିର୍ଯ୍ୟାତନା ମୌଖିକ ତାଡ଼ନା।

ମେହନତି ଉଦଯୋଗୀ ମଣିଷ କରେ

ଆପଣା ବଳ ବୁଦ୍ଧିରେ ଟଙ୍କା ରୋଜଗାର

ମାତ୍ର ବିଡ଼ମ୍ବନା ଭାଗ୍ୟର

ତା' ବ୍ଯତିରେକ ଭାଇ ବନ୍ଧୁ ଭାର୍ଯ୍ୟା

ଅପାରଗ ଅପତ୍ଯବର୍ଗ ସଭିଏଁ ଅଟନ୍ତି

ସେଇ ଟଙ୍କାରେ ସିଂହ ଭାଗୀଦାର

ଟାକି ବସିଥାନ୍ତି କରିବାକୁ ହସ୍ତଗତ

ଶୁଣାଇ କେତେ କାହାଣୀ ସୁନ୍ଦର।

ଟଙ୍କା ହାତରୁ ଗଲେ ଖସି ଥରେ

ଋଣଦାତା ଜଳକା ପରାୟ ଚାହିଁ ରହିଥାଏ

ତାହାର ସକୁଶଳ ଫେରିବା ଆଶାରେ

ଆପଣାର ଆବଶ୍ୟକତା ଜରୁରୀ ସ୍ଥିତିରେ

କରେ ସିଏ କାକୁତି ମିନତି

କହୁଥାଏ ବିନମ୍ରତାର ଭାଷା

ଋଣଗ୍ରହିତା ବନ୍ଧୁ ପରିଜନଟିରେ

ଅନୁରୋଧ କରୁଥାଏ ବାରମ୍ବାର

ନବୁଝିବାକୁ ଅନ୍ୟଥା ତାହାରେ

ମନେ ମନେ ଚିନ୍ତୁଥାଏ କରିବାକୁ

ଭୋଗରାଗ ଇଷ୍ଟଦେବତା ପାଶରେ।

କିନ୍ତୁ ସିଧାସଳଖ ଯାଇଥିବା ଟଙ୍କା

ଆଉ ଫେରେ ନାହିଁ ଋଣଗ୍ରହିତା ପାଖରୁ

ବାର ବାର ବାରମ୍ବାର ପରିଶୋଧ କରିବାକୁ

ଟାଳିଦିଏ ଆପଣା ବାକ୍ ପଟୁତାରେ

ଆଜି ଦେବି କାଲି ଦେବି କହି କହି

'ଝିଟିପିଟି - ନାରାୟଣ' ଉପାଖ୍ୟାନ ପରି

ଗଡାଇ ଚାଲେ ସେ ତାରିଖ ପରେ ତାରିଖ

ମଣୁଥାଏ ଆପଣାକୁ ପ୍ରଚଣ୍ଡ ଚାଲାକ

ଆଉ ଏଇ ଦୁନିଆର ବାକି ସବୁ ଲୋକ ଗଜମୁର୍ଖ।

ଅସ୍ଥିର ଚଞ୍ଚଳ ଟଙ୍କା ଘୁରି ବୁଲୁଥାଏ ହାତରୁ ହାତକୁ

ଜାତି ଧର୍ମ ବର୍ଣ୍ଣ ଭାଷା ଅଞ୍ଚଳ ନିର୍ବିଶେଷରେ

ମନର ଗତି ଠାରୁ ବି ପ୍ରଖର ବେଗରେ

କେବେ ସେ ପାଲଟେ ସାହାରା ଅସହାୟ ମଣିଷର

ତ ଆଉ କେବେ ପାଲଟେ କଳଙ୍କ ଲୋଭି ଧନାଢ୍ୟର

କଳାଟଙ୍କାର ଅପବାଦ ମୁଣ୍ଡାଇ ବନ୍ଦୀ ହୋଇଥାଏ

ବିଦେଶୀ ବ୍ୟାଙ୍କରେ ଅଚଳ ଜଙ୍ଖ ପରି

ଆପଣା ମାତୃଭୂମିର ବହୁ ଦୂରେ

ଦେଶାନ୍ତର ଦଣ୍ଡ ଭୋଗ କରି।

ଏଇ ଟଙ୍କା କେବେ ଉଡୁଥାଏ ବାଈଜୀ କୋଠିରେ

ମୌଜ ମସ୍ତିରେ ଘୁଙ୍ଗୁର ଆଉ ତାବଲା ତାଳରେ

ବିଦେଶୀ ମଦିରାର ସୁରମ୍ୟ ପିଆଲାରେ

ତ ପୁଣି କେବେ ଏଇ ଟଙ୍କା ପାଇଁ

ଭାର୍ଯ୍ୟାର ଶବ ବୁହା ହୁଏ ସ୍ବାମୀର କାନ୍ଧରେ

ବିବଶ ମାଆଟିଏ ଟେକି ଦିଏ ଆପଣାର

ସଦ୍ୟଜାତ ଶିଶୁଟିକୁ ଆନର ହାତରେ

ମଣିଷ ଆପଣାକୁ ବିକୁଥାଏ ତିଳ ତିଳ କରି

ଦୁନିଆର ଅପବାଦ ଭରା ଘୃଣ୍ୟ ବଜାରରେ

କି କି ଦିନ ମଣିଷକୁ ନଦେଖାଏ ଟଙ୍କା

ନଥିଲାବାଲାର ଅଣ୍ଟା କରିଦିଏ ବଙ୍କା।

କେବେ ପୁଣି ଏଇ ଟଙ୍କା ପାଲଟେ ବୋଝ

ରାତାରାତି ଫିଙ୍ଗା ହୁଏ ଅଳିଆଗଦାରେ

ପୋତା ହୁଏ ନିର୍ଜନ ସ୍ଥାନରେ

ପୋଡା ହୁଏ ଡହକ ନିଆଁରେ

ଭସା ଯାଏ ନଦୀର ଜଳରେ

ଏମିତି ବଦଳୁଥିବା ସମୟ ସହ

ବଦଳୁଥାଏ ଟଙ୍କାର ଚାଲ୍ ଚରିତ୍ର ଆଉ ମୂଲ୍ୟ

କେବେ ଅମୂଲ୍ୟ ତ କେବେ ଦୁଶ୍ଚିନ୍ତାର କାରଣ

ଯାହା ପାଖେ ନାହିଁ ସିଏ କରେ ଦୁଃଖ

ଯାହା ପାଖେ ଥାଏ ସିଏ ବି ପାଏ ଦୁଃଖ।



Rate this content
Log in

Similar oriya poem from Abstract