ଟିକି ଜୀବନ ଟିକି ସପନ
ଟିକି ଜୀବନ ଟିକି ସପନ


ଉଠ ଉଠ ପିଲା ସୂରୁଯ ଉଇଁଲା
ପ୍ରକୃତି ମୁହଁରେ ହସ
ଫୁଲ ଫୁଟି ବାସ କୋମଳ ପରଶ
ମଧୁମକ୍ଷି ନିଏ ରସ |୧|
କର୍ମମୟ ଜୀବ ଅଳସ ତେଜିବ
ଜୀବନେ ପାଇବ ସୁଖ
କୀଟରୁ ପତଙ୍ଗ କର୍ମେ ମନ ଯୋଗ
ନୟନ ପୁରାଇ ଦେଖ |୨|
ଟିକି ପ୍ରଜାପତି ହୃଦୟେ ପୀରତି
ଘୁରି ବୁଲେ ଗିରି ବନ
ଆଗାମୀ ଦିନର ସଞ୍ଚୟ ଆହାର
ସଂଗ୍ରହରେ ରଖେ ମନ |୩|
ଫୁଲେ ଫୁଲେ ବୁଲି କରୁଥାଏ ଅଳି
ଅଳିକ ଜୀବନ ପାଇଁ
କରି ମଧୁ ପାନ ଗଢିଛି ଜୀବନ
ଭ୍ରମନ୍ତି ଭ୍ରମରେ ଯାଇ |୪|
ଦେଖ ପିପିଲୀକା ନ'କରି ପ୍ରତୀକ୍ଷା
ବୋହୁଛି ସଂସାର ଭାର
ଗୋଟାଇ ଆହାର ସଞ୍ଚୁ ଥାଏ ଘର
ନଥାଏ କାହାକୁ ଡର |୫|
ନିତି ପ୍ରତି ଦିନ ଫୁଟଇ ସୁମନ
ପ୍ରକୃତିର ମହାଦାନ
ପ୍ରତିଜ୍ଞା ଜୀବନେ ରହି ପ୍ରୀତି
ଦାନେ
ପର ହିତେ କୀର୍ତ୍ତି ମାନ |୬|
ବୃକ୍ଷ ଲତା ଆଦି ପାଇଛନ୍ତି ସିଦ୍ଧି
ଜନ ହିତେ ଦିନ ନେଇ
ରଖି ସନ୍ତୁଳନ ପ୍ରକୃତି ପାଳନ
ନିଜର ଜୀବନ ଦେଇ |୭|
ମାଟି ମାଆ ଆମ ଦେଇଛି ଜନମ
ଆନନ୍ଦେ ଭରିଛି କୋଳ
ମୁଖରେ ଆମର ଦେଉଛି ଆହାର
ଫଳାଇ ଅନେକ ଫଳ |୮|
ଜଳ ହିଁ ଜୀବନ ଧରିଛି ପରାଣ
ମନରେ ରଖିନି ସ୍ୱାର୍ଥ
ଜୀବନେ ଜୀବନ ଦେଇ ମହା ଦାନ
ଦୂରେଇ ସଂସାର ଆର୍ତ୍ତ |୯|
ଆଜିରେ ଏତିକି ମନେ ଥାଅ ରଖି
କାଲିକି ଦେଖିଛି କିଏ
ଥିବା ଯାଏ ପ୍ରାଣ କରି ସେବା ଦାନ
ମରତେ କୀରତି ପାଏ |୧୦|
ଶିଶୁ ମୁଖେ ହସ ଦେଖିଲେ ହରଷ
ସତେକି ଫୁଟିଛି ଫୁଲ
ସେହି ଶିଶୁ ପ୍ରାଣ ସତ କର୍ମ ମାନ
ମର୍ତ୍ତ୍ୟେ ହେବେ ମହା ମୂଲ |୧୧|
***********