ଟିକି ଝରଣା
ଟିକି ଝରଣା
ଅଙ୍କେଇବଙ୍କେଇ କୁଳୁକୁଳୁ ହୋଇ
ଟିକି ଝରଣା ମୁଁ ଯାଉଥାଏ ବହି
ପଥରକୁ କାଟି ମୋ ଜଳସ୍ରୋତରେ
ନାଚୁଥାଏ ମନ ଅତି ହରଷରେ ।
ପିତା ଗିରିବର ମାତା ଧରିତିରୀ
ଗେହ୍ଲୀ ଝିଅଟିଏ ମୁଁ ପରା ତାଙ୍କରି
ଗଭୀର ଗହ୍ବରୁ ମୋ ଆତ୍ମପ୍ରକାଶ
ମାଆ କୋଳ ଲଭି ଆହା କି ସନ୍ତୋଷ !
ଚପଳ ବାଳିକାଟିଏ ସାଜି ମୁହିଁ
ପରବତୁ ଯେବେ ଡେଇଁ ପଡୁଥାଇ
ସତେ କି ଦିଶଇ ସରଗର ପରୀ
ମନ ମୋହି ନିଏ ମୁଁ ଦେଖଣାହାରୀ ।
ଲକ୍ଷ୍ୟପଥ ମୋର ସାଗରେ ମିଶିବା
ବାଟେ ଜୀବ ସଙ୍ଗେ ବନ୍ଧୁତା ଗଢ଼ିବା
ଜଳ ଟିକେ ସିଞ୍ଚି ତୃଷାର୍ତ୍ତ ପ୍ରାଣରେ
ଜନମ ଜୀବନ ସାର୍ଥକ ମୋ କରେ ।
ଯେତେ ବାଧାବିଘ୍ନ ବନ୍ଧୁର ପଥରେ
ସାମର୍ଥ୍ୟ ବଳରେ ସବୁ ଦୂର କରେ
ପଛକୁ ଫେରିବା ଜାତକେ ମୋ ନାହିଁ
ସାଧନା କେବଳ ଜିତିବାର ପାଇଁ ।
ଦୁଇ ପାରୁଶରେ ଶୋଭାମୟୀ ବନ
ଜୀବ ଉପକାରେ ଥାଏ ମୋର ଧ୍ଯାନ
ସୁଜଳା ସୁଫଳା କରେ ଶସ୍ୟକ୍ଷେତ୍ର
ଅନନ୍ତ କାଳରୁ ପ୍ରକୃତିର ମିତ୍ର ।
ଧାତବ ପଥର ଚେରମୂଳ ସହ
ବନ୍ଧୁତା ଥିବାରୁ ମୋର ଅହରହ
ନିର୍ମଳ ପବିତ୍ର ଜଳରାଶି ମୋର
ଔଷଧୀୟ ଗୁଣେ ଥାଏ ଭରପୂର ।
ଶୀତକାଳେ ଆସି ପର୍ଯ୍ୟଟକମାନେ
ଭୋଜି ଆୟଜନ କରନ୍ତି ଯତନେ
ମୋ ମଧୁର ଜଳ ବହ୍ୟବହାର କରି
କ୍ଷୁଧା ତୃଷ୍ଣା ତାଙ୍କ ଥାଆନ୍ତି ନିବାରି ।
ସଭିଙ୍କ ମୁଖରେ ହସ ଟିକେ ଦେଖି
ହେଉଥାଏ ମୁହିଁ ଅତିଶୟ ସୁଖୀ
ଭାବଇ ଯଥାର୍ଥ ମୋହର ଜନମ
ସେବାଠାରୁ ବଡ଼ ନାହିଁ ପୂଣ୍ୟ କର୍ମ ।
ମୋହ ପରି ଯଦି ଏ ମାନବଗଣ
ଧରୁଥାନ୍ତେ ମନେ ଭାବ ସମର୍ପଣ
ନିଃସ୍ୱାର୍ଥ ନିଃସର୍ତ୍ତ କରମ ସାଧନ
ହୁଅନ୍ତା ସାର୍ଥକ ତାଙ୍କର ଜୀବନ ।
