ଟିକି ଗୋଲାପ
ଟିକି ଗୋଲାପ
ଘର ଅଗଣାରେ
ଚଉରା ମୂଳରେ
ଫୁଟିଥିଲା ଟିକି ଗୋଲାପଟିଏ।
ଲାଗୁଥିଲା ଯେହ୍ନେ
ଫୁଲ ନୁହେଁ ସେ ତ
ମନ ମତାଣିଆ କବିତାଟିଏ।
ପ୍ରତି ପାଖୁଡ଼ାରେ
ଫୁଟୁଥିଲା ତାର
ଅପୂର୍ବ ଲାବଣ୍ୟ ଦିବ୍ୟ ସୁଷମା।
ନୟନ ଯୁଗଳ
ହାରି ଯାଉଥିଲେ
ଖୋଜି ଖୋଜି ତାର ଯୋଗ୍ୟ ଉପମା।
ମୃଦୁ ମୃଦୁ ବାତେ
ଦୋଳାୟିତ ଛନ୍ଦେ
ବୁଣୁଥିଲା ସିଏ ସ୍ୱର୍ଗୀୟ ହସ।
ସାଉଁଟୁଥିଲି ମୁଁ
ଆଞ୍ଜୁଳା ଆଞ୍ଜୁଳା
ତାର ସେ ଅପୂର୍ବ ଦିବ୍ୟ ସୁବାସ।
ନିରେଖିବାକୁ ସେ
ଅପରୂପ ଶୋଭା
ଛାଡ଼ିଣ ଯିବାକୁ ନଥିଲା ମନ।
ମନେ ହେଉଥିଲା
ଭ୍ରମୁଛି ମୁଁ ସତେ
ଅଳକାପୁରୀର ନନ୍ଦନବନ।
ତନୁ ପ୍ରାଣ ମନ
ନୋହି ଭିନ୍ନାଭିନ୍ନ
ହୋଇଥିଲେ ତାର ରୂପରେ ବନ୍ଦି।
ବିଭୁ ପାଦପଦ୍ମେ
ଭକତର ଚିତ୍ତ
ବନ୍ଦି ଯେହ୍ନେ ଭବେ ନହୋଇ ଛନ୍ଦି।
ମନ ତାର ସତେ
ସମର୍ପିତ ଭାବେ
ଖୋଜୁଥିଲା ବିଭୁ ପଦାରବିନ୍ଦ।
ହୋଇଥାନ୍ତି କି ମୁଁ
ତା ଭଳି କୁସୁମ
ଲଭିଥାନ୍ତି ନିଶ୍ଚେ ରାଧା ଗୋବିନ୍ଦ !
