ତଥାପି ମୁଁ ଗୃହବନ୍ଦୀ
ତଥାପି ମୁଁ ଗୃହବନ୍ଦୀ
ଅପରାଧ କେବେ କରି ତ ଶିଖିନି
ତଥାପି ମୁଁ ଅପରାଧୀ !
ବିଜ୍ଞ ଲୋକଙ୍କର ଅଜ୍ଞ ଇଲାକାରେ
ସତେ କି ମୁଁ ଗୃହବନ୍ଦୀ !!
ଅପରାଧ ସଂଜ୍ଞା ବଦଳିଯାଇଛି
ତା' ଅଙ୍ଗେ ପ୍ରଲେପ ଲଦି !
ନିରପରାଧର ଦଣ୍ଡ ଅନିବାର୍ଯ୍ୟ
ଘୂରିବୁଲେ ଅପରାଧୀ !!
ବୈରାଗୀ ବି ଆଜି ଉପଭୋଗ କରେ
କାମ ମୋହ ଲୋଭ କ୍ରୋଧ !
କହିଲ ତ ଦେଖି ଆଶ୍ରମ ନାମରେ
ଚାଲୁନି କି ଅପରାଧ ??
ପରିବାର ବକ୍ଷେ ଖୋଜିଲେ ମିଳୁନି
ପବିତ୍ରତା ଆତ୍ମୀୟତା !
ଛଳନା ସହିତ ସ୍ୱାର୍ଥସାଧନରେ
ହଜିଛି ମାନବିକତା !!
ବଉଦକୁ କେବେ କରେ ମୁଁ ଭରସା
କେବେ କରେ ବରଷାକୁ !
ଭରସାରେ ମୋର ବଜ୍ରପାତ ହୁଏ
ଦୋଷ ଦେବି ବା କାହାକୁ ??
ଅଭିଜ୍ଞତାହୀନ ଅନ୍ଧଦର୍ପଣରେ
ଅବିବେକୀ ଖୋଜେ ଜ୍ଞାନ !
ଅନ୍ଧଦର୍ପଣ କି ଜ୍ଞାନାଲୋକ ଦେବ
ନୁହେଁ ସେ ବିଜ୍ଞ ବିଜ୍ଞାନ !!
ବିଜ୍ଞାନ ଯୁଗର ମହାଜ୍ଞାନୀ ଲୋକେ
ପରମ୍ପରା ଦୂରେ ରହି !
ଅପାରମ୍ପରିକ କର୍ମ କରିଥାନ୍ତି
ନିଷ୍ଠୁର ମାୟାବୀ ହୋଇ !
ପଥର ପଛରେ ଦଉଡି ଦଉଡି
ଖୋଜି ଚାଲନ୍ତି ଦେବତା !
ବୁଝି ପାରନ୍ତିନି ନର ରୂପରେ ତ
ନାରାୟଣ ସ୍ୱୟଂ ପିତା !!
ସମ୍ବେଦନଶୀଳ ମଣିଷ ଏଇଠି
ପାଏ ଅଶ୍ଳୀଳ ଆକ୍ରୋଶ !
ପିତା ମାତା ଅବା ପ୍ରିୟ ଗୁରୁଜନ
ହୁଅନ୍ତି ନିୟତି ବଶ !!
କିଏ ଦୋଷୀ ଆଉ କେ ଅବା ନିର୍ଦ୍ଦୋଷ
ହିସାବ ଖାତା ହିଁ ଲୁପ୍ତ !
ଅପରାଧୀ ଯିଏ ସ୍ୱଚ୍ଛ ଆଲୋକରେ
ବୁଲୁଥାଏ ହୋଇ ମୁକ୍ତ !!