ଟାଣିନେ ଲଗାଇ ଡୋରୀ
ଟାଣିନେ ଲଗାଇ ଡୋରୀ
ଥରଟେ ଟାଣିନେ ତୋ ଘଟଗାଁପୀଠ
ଡୋରୀ ଲଗାଇ ମୋ ଠାରେ
ଥରଟେ ପୋଛିଦେ ମୋ ଆଖି ଲୁହକୁ
ମାଆ ଲୋ ତୋ ପଣତ ରେ ।
ସିନ୍ଦୂର କିଣିଛି, ମନ୍ଦାର ଆଣିଛି
ଶ୍ରୀଫଳ ଆଣିଛି ତୋଳି
ଅତି ଆଦରରେ କରିବି ତୋ ପୂଜା
ସଜାଇଛି ପୂଜା ଥାଳି ।
ନଡ଼ିଆ ଜଳରେ ଗାଧେଇବୁ ମା'ଲୋ
ପିନ୍ଧିବୁ ତୁ ନାଲି ଶାଢ଼ୀ
କିଣି ଆଣିଛି ମୁଁ ତୋ ପାଇଁ ମା'ଲୋ
ନାଲି ନାଲି ସଙ୍ଖା ଚୁଡ଼ି ।
ଶାଳୁଆ ଗଛରେ ବାନ୍ଧିବି ଡୋରୀ ମୁଁ
ମାନସିକ ଟିଏ କରି
ଲୁହ ଟୋପେ ଢ଼ାଳି ତୋ ପାଦ ଧୋଇବି
ଜଣାଇବି ମୁଁ ଗୁହାରି ।
ତୋ ପାଖରେ ବସି ତୋ ସୁନ୍ଦର ରୂପ
ଦେଖିବି ମୁଁ ମନଭରି
ଥରଟେ ଟାଣିନେ ମା'ଲୋ ତୋ ପାଶେ
ଲଗାଇ ତୋହରି ଡୋରୀ ।
