ତରଙ୍ଗ ବଳୟ
ତରଙ୍ଗ ବଳୟ
ଦୂରରୁ ପାଣିରେ ତେରେଛା ଫିଙ୍ଗିଲେ
ଛୋଟିଆ ପଥର ଟିଏ,
ପାଣିରେ ସୁନ୍ଦର ତରଙ୍ଗ ବଳୟ
ଚାରିଆଡେ ଖେଳିଯାଏ। । ୧ ।
ହସର ତରଙ୍ଗ ଦୃଷ୍ଟିର ସହିତ
ପହଁରି ପହଁରି ଯାଏ,
ଆନ ଆଖି କୋଣେ ପହଂଚି
ଖୁସିରେ ଆନମନ ମୋହିନିଏ। । ୨ ।
ଶବ୍ଦର ତରଙ୍ଗ ଖେଳି ଖେଳି ଯାଇ
ସୃଷ୍ଟି ହୋଇଥାଏ ଧ୍ୱନି,
ତରଙ୍ଗ ବିହୀନ ଶବ୍ଦ ସବୁ ଯେହ୍ନେ
ମୁକଙ୍କର ବାଚଳାମି। । ୩ ।
ସେନେହ ତରଙ୍ଗ ଖେଳିଲାରୁ ସିନା
ଏକକୁ ଆନେକ ମୋହେ,
ମମତା ବନ୍ଧନେ ଛନ୍ଦା ଛନ୍ଦି ହୋଇ
ଖୁସିରେ ସମୟ ଯାଏ। । ୪ ।
ଅଶାର ତରଙ୍ଗ ଖେଳି ଖେଳି ଯାଇ
ତୋଳି ଥାଏ ଆଶାବରୀ,
ସେ ସୁଖେ ଅଧୀର ଜୀବନ ଅପ୍ରାପ୍ତ
ତୃପ୍ତିରେ ଯାଏ ଭରି। । ୫ ।
ଫୁଲର ମହକ ବାୟୁର ତରଙ୍ଗେ
ବିଛୁରି ବିଛୁରି ଯାଏ,
ଯୋଗୀ ଭୋଗୀ ରୋଗୀ ମାନି ଦାନୀ
ଆଦି ସଭିଙ୍କର ମନ ମୋହେ। । ୬ ।
ଜୀବନ ତରଙ୍ଗ ଢେଉ ଖେଳୁଅଛି
ସମୟର ନଦୀ ପରେ,
ତରଙ୍ଗ ଥମିଲେ ଜୀବନଟା ଲୀନ
ହୋଇଯିବ ତା ବୁକୁରେ। । ୭ ।
ଧ୍ୟାନର ତରଙ୍ଗ ଶରୀର ଚକ୍ରରେ
ତେଜେ କୁଣ୍ଡଳିନୀ ଶକ୍ତି,
ଅଳିକ କ୍ଷଣିକ ସୁଖରୁ ଜୀବନ
ଖୋଜି ହୁଏ ମହା ମୁକ୍ତି। । ୮ ।
ଛୋଟ ଛୋଟ ଖୁସି ମିଶେଇକି ଚାଲ
ଜୀବନେ ସୁଖ ଯୋଡିବା,
ଭଲ କାମ କରି କର୍ମର ତରଙ୍ଗେ
ଶ୍ରେଷ୍ଠ ଜୀବନ ଗଢିବା । । ୯ ।