STORYMIRROR

Chaturbhuja Sahoo

Fantasy

4  

Chaturbhuja Sahoo

Fantasy

ତମେ ବୁଢ଼ୀ ହୋଇଗଲା ପରେ

ତମେ ବୁଢ଼ୀ ହୋଇଗଲା ପରେ

1 min
397


ସମୟ ସୁଅରେ ତମେ ବୁଢ଼ୀ ହୋଇଗଲା ପରେ...

ତମେ ଆଶାବାଡି ଧରି ଚାଲୁଥିବ

ତମ ଆଖିକୁ ଭଲ ଦିଶୁନଥିବ

ତମେ ଅଣନିଃଶ୍ବାସୀ ହେଉଥିବ ।


ସତରେ,

କଣ ତମେ ସେତେବେଳେ

ମନେ ପକାଇ ପାରୁଥିବ !

ଦିନ ଥିଲା ବେଳ ଥିଲା

ବେକ ଭେକ ସବୁଥିଲା 

ଆଉ ତମରି ପାନ୍ଥଶାଳାର ....

ମୁଁ ନିତିଦିନିଆ ଗରାଖ ଥିଲି 

ତମ ଅଜାଣତରେ... ।


ତମକୁ ଥରେ କି ଦୁଇଥର ନୁହଁ

ଅନେକ ଥର ପ୍ରେମ ନିବେଦନ ଥିଲା

ହୃଦୟର ଗଭୀରତମ ପ୍ରଦେଶରୁ

ବହୁ ଆକାଙ୍କ୍ଷା ଥିଲା

ତମ ଗୋଲାପୀ ଓଠରେ ଧାରେ

ଚେନାଏ ହସ ଫୁଟାଇବାକୁ ... ।


ତମ ଫ୍ରକ୍ ପିନ୍ଧା ବୟସ ଗଲାଣି

ତମେ ଆଜି ବି ପ୍ରେମର ମହନୀୟ ଦେବୀ

କାଲି ଆଉ ନଥିବ ତମ ପୁରିଲା ଦେହ 

ଫାଜିଲପଣ ମାୟା ମୋହ ।


ତମେ ଶୀତ ଅଗଣାର କାକରଟୋପାରେ

ନିଆଁ ପୋଉଥିବ

ତମ ଦାନ୍ତ ନଥିବା ଓଠ ଥରୁଥିବ

ଲୁହଲହୁ ଏକ କରି

ତମେ ତମେ ସମ୍ଭ୍ରମପଣରେ 

ଥୁରୁଥୁରୁ ହାତରେ ନାଲିଚାୟ ସହ

ସୁନେଲି ଖରାରେ ଦେହ ପଖାଳୁଥିବ ।


ତମର କଣ ମନେଥିବ !

ସ୍ମରଣଶକ୍ତି ହ୍ରାସ ସହ ଲୋଚାକୋଚା ଚମ

ଦେହ ଭିତରୁ ଧୁଡୁଧୁଡୁ ଛାତି

ଆଉ ...

ସେ ଛାତି ଭିତରେ କଣ 

ତମେ କହିପାରିବ !

ଜଣେ ନିଆରା ପ୍ରେମିକର ନାଁଟେ ଥିଲା

ଖୁବ୍ ଅହଂକାର ତମ ଦେହମନ

ଦିନେ କି ଦ୍ବିଦିନ ନୁହଁ

ମାସ ମାସ ବର୍ଷ ବର୍ଷ ...

ମୋ' ନିବେଦନକୁ ନିର୍ମମ ପ୍ରତ୍ଯାଖାନ କରିଥିଲା ।


ତମର ମନେ ନପଡୁ 

ମୋର ତ ମନେ ପଡୁଛି

ଏଇମିତି ଗୋଟେ ବୁଢ଼ୀ ବି ମୋ' ପ୍ରେମିକାଟେ ସାଜି

ଆଜି ବି ବୟସର ଅପରାହ୍ନରେ

ବାଟ ଓଗାଳୁଛି...

ତମେ ଯେତେ ବୁଢ଼ୀ ହୁଅନା

ମୋ' ହୃଦୟ ଆଜି ବି ଭଲ ପାଉଛି

ଭଲ ପାଉଛି ବୋଲି ତ 

ତମ ଲୋଚାକୋଚା ଦେହ 

ଧୁଡୁଧୁଡୁ ଛାତିର କଂପନରେ 

ମୋ' କଲମର କାଳି କଳଙ୍କିତ କବିତା ଲେଖୁଛି ।

ସତରେ.....

ତମେ ବୁଢୀ ହୋଇଗଲା ପରେ ବି

ଏ ଉତ୍ତର ବୟସରେ 

ଆଜି ବି ମୁଁ ତମକୁ ଭଲପାଉଛି ।


Rate this content
Log in

Similar oriya poem from Fantasy