ତମେ ଆସିବ ବୋଲି - ୦୪
ତମେ ଆସିବ ବୋଲି - ୦୪
ତମେ ଆସିବ ବୋଲି
ଚଉଦିଗ ନାଲି ନେଳି ଆଲୋକ ବର୍ଣ୍ଣାଳୀ
ସୁସଜ୍ଜିତ ରାଜପଥ ନଭଶ୍ଚୁମ୍ବୀ ଅଟ୍ଟାଳିକା
ରୋଷଣୀରେ ଭରପୁର ମୋ ଦାଣ୍ଡ ଅଗଣା
ଚଗଲା ପବନର କୁହୁକ ଛୁଆଁରେ
ମନଲାଗେ ଆନମନା
ପ୍ରୀତିସିକ୍ତ ହୁଏ ମୋ ଜୀବନର
ଅକ୍ଷାଂଶ ଓ ଦ୍ରାଘିମା
ବସନ୍ତର ମଧୁର ତାନରେ
ଶିହରିତ ହୁଏ ଶୁଷ୍କ ତରୁ ଲତା
ମନ୍ତ୍ରମୁଗ୍ଧ ହୁଏ ବାରମ୍ବାର
ଖୋଜୁଥାଏ ଯାହା ତମ ନୀଳ ଉପତ୍ୟକା ।
ତମେ ଆସିବ ବୋଲି
ରାତି ଲମ୍ବି ଲମ୍ବି ଯାଏ
କାମସିକ୍ତ ହୁଏ ନିଥର ପ୍ରହର
ସହରର ସବୁ ବତୀ ଲିଭିଲିଭି ଯାଏ
ତାରାଫୁଲ ଓହ୍ଲାଇ ଆସନ୍ତି
ମାଟି ଅଗଣାକୁ ଆକାଶର ନୀଳ ବଗିଚାରୁ
ଗୋଟାପଣ ଆବୃତ ହୋଇଯାଏ ମୁଁ
ତମ ନୀଳ ନୀଳ ପ୍ରେମର ନୀଳ ଆକର୍ଷଣରେ
ଭିଜିଯାଏ ମୁଁ
ଆଉ ଭିଜୁଥାଏ ମୋ ଜୀବନର
ବାକିତକ ଆୟୁଷ ।

