ତମ୍ବାଖୁ
ତମ୍ବାଖୁ
ସମଗ୍ର ବିଶ୍ୱ ଯେ ତମ୍ବାଖୁ କବଳେ
ବନ୍ଧା ପଡ଼ିଅଛି ଆଜି,
ବିନା ତମ୍ବାଖୁରେ ଦିନ ସରେ ନାହିଁ
ନିଶାରେ ଯାଉଛି ହଜି ।
ମଣିଷ ଯାହାକୁ ସୌଖିନ ଭାବୁଛି
ସେ ନୀରବ ହତ୍ୟାକାରୀ,
ଧିରେ ଧିରେ ତାର ଆଘାତେ ଜୀବନ
ଅକାଳରେ ଯାଏ ଝରି ।
ମଣିଷ ବୁଝିଛି ତମ୍ବାଖୁ ସେବନେ
କେତେ କ୍ଷତି ତାର ହୁଏ,
ତଥାପି ଅଭ୍ୟାସ ଛାଡି ପାରେନାହିଁ
ଜାଣି ଜାଣି ବିଷ ପିଏ ।
କଡାପାନ ଅବା ଦୋକତା ମିଶ୍ରଣେ
ଯାହା ବି ହୁଏ ସେବନ,
ନାନା ନାମ ତାର ସଫଳ, ମିନାଜି
ଆକର୍ଷିତ କରେ ମନ ।
କିଏ କହେ ତାକୁ ଘୁଟକା ବୋଲି ଯେ
ପାଟିରେ ପଡିଲେ ମଜ୍ଜା,
ସକାଳୁ ଉଠିଲେ ଅଘସା ପାଟିରେ
ପ୍ରଥମେ ହୁଏ ଯେ ଖୋଜା ।
ଆଜି ସମାଜରେ ଘୁଟକା କେବଳ
ସତେ କି ମଣିଷ ସାଥି,
ତା ସାଥେ ଚୋରସ ଅବା ମଦ୍ୟପାନେ
ଅକୁଣ୍ଠିତେ ଯାଏ ମାତି ।
ଏଥିପାଇଁ ପରା ଗ୍ରାସୁଛି ଅକାଳେ
ମୁଖ ଗହ୍ୱର କର୍କଟ,
କାହାର ହୃଦୟ ଅବା ମୁତ୍ରାଶୟ
ହୋଇଯାଏ ପୁରା ନଷ୍ଟ ।
ଅର୍ଥ ଦେଇ ଆଜି ମଣିଷ କିଣୁଛି
ଜାଣି ଜାଣି ନାନା ରୋଗ,
ତମ୍ବାଖୁ ବଦଳେ ଅନ୍ୟ ଭୋଜନରେ
ହୁଅନ୍ତା ଯେ ସୁଖ ଭୋଗ ।
ସଚେତନ ହେବା ପ୍ରୟୋଜନ ଆଜି
ଜୀବନ ସୁରକ୍ଷା ପାଇଁ,
ନହେଲେ ମଣିଷ ତମ୍ବାଖୁ ଶିକାରେ
ମୃତ୍ୟୁ କୋଳେ ଯିବ ଶୋଇ ।