STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତିନି ପରିଧି

ତିନି ପରିଧି

1 min
321


ମୋ ଏତେ ଟିକେ ସୁଖ ପାଇଁ

ଯେ ସହିପାରେ ପାହାଡ଼ ପାହାଡ଼ ଦୁଃଖ

ନିଇତି

ତୁଳସୀ ଚଉରା ମୂଳେ

ସଞ୍ଜ ସକାଳେ

ପଣତ ପାତି ମାଗେ ମୋ ଖୁସି।

ଏନ୍ତୁଡ଼ିଶାଳରେ ଏକାନ୍ତ ପ୍ରହରେ

ଷଠିଦୁତିକୁ ମାଗେ ଆୟୁଷ

ମୋ ମଙ୍ଗଳ ନିମନ୍ତେ

ବାଇଆଣି ପରି ଘୁରେ

ମନ୍ଦିରୁ ମନ୍ଦିର।

ମୁଁ ହସିଲେ

ଯାହା ମୁହଁ ହସେ

ମୁଁ ଖାଇଲେ

ଯାହା ପେଟ ପୁରେ

ମୁଁ ରୋଗରେ ପଡିଲେ

ଯେ ରୋଗୀ ହୋଇଯାଏ 

ମୁହଁ ଦେଖି

ମୋ ଭିତର ଯିଏ ଅକ୍ଳେଶରେ ପଢିପାରେ।

ପୃଥିବୀର ସବୁଠାରୁ ସୁନ୍ଦରତମ ଯାହାର ମୁହଁ

ମୋ ସମସ୍ତ ଖୁସିର ଠିକଣା

ଯାହାର ପଣତରେ ମୁହଁ ପୋଛିବା ଲାଳସା

ଥିଲା ଛୁଆ ବେଳେ

ଅଛି ଓ ରହିଥିବ ଜୀବନ ତମାମ।

ଆରେ ମାଆ ତୁମେ!

ବଦଳିଗଲ.....!!

ମୋ ଚାରି କାନ୍ଥ ପୃଥିବୀ ସ୍ଵର୍ଗରେ

ଇଏ କାର ଛବି...!

ମୋତେ କରିଦିଏ କବି

ସଂସାର ଓ ଦୁନିଆଁ ସଉଦା ହାଟ ବାଟେ

ମୋ ପାଦେ ପାଦ ମିଶାଇ

ସବୁ କୁ ସୁ ପୁଟୁଳିକୁ ମୋର

ପିଠିକୁ ପକାଇ

ମୋତେ ବୁଝି

ମୋ ସୁଖ ପାଇଁ

ନିଜକୁ ଦୀପ କରି

ମୋତେ ପ୍ରେମର ମଧୁ ସାଗରେ ଡୁବାଇ

ମୋ ପିଲାଙ୍କ ପ୍ରଥମ ଗୁରୁ ହୋଇ

ମୋ ପରିଚୟେ

ପରିଚିତ ଜୀବନ ସାଥି

ଅର୍ଦ୍ଧାଙ୍ଗିନୀ

ଶୃଙ୍ଖଳିତ ଜୀବନ ଜିଇଁବାର

ଶକ୍ତିମୟୀ

ସୁନ୍ଦର ପ୍ରୀତି ପ୍ରିୟତମା

ତୁମ ପାଇଁ

ଆବେଗ, ଅନୁରାଗ, ପ୍ରେମ ଥିଲା

ରହିଛି, ଥିବ

ମଶାଣୀକୁ ଯିବା ଯାଏ ଯୁଇ।

ହେ ତୁ..... ପୁଣି ବଦଳି ଗଲୁ...!!

କଳଛଳ ନଈ 

ତୁ ଟିପେ ନିରୋଳା 

ନିର୍ମଳ ଆକାଶର ହସ

ମୋ ରାକ୍ଷୀର ପୀୟୂଷ ତୁ

ମୋ ହୃଦୟ ତନ୍ତ୍ରୀରେ ବସିଥିବା

କୋମଳ, ନିରୁତା, ଶାଶ୍ୱତ ସମ୍ପର୍କର 

ମଧୁର ମୂର୍ଛନା ବି

ତୋ ପାଇଁ ମୋ ହୃଦୟ ଓଦା

ସରଗ ସ୍ନେହ, ପ୍ରେମରେ ତୋର 

ମୋ ମନ ବନ୍ଧା

କଇଁଫୁଲିଆ ସକାଳ ସତେଜ

ସମ୍ପର୍କର ମିଠା ପରିଭାଷାର ତୋଫା ଜହ୍ନଟିଏ

ରାକ୍ଷୀ, ସାବିତ୍ରୀ, ରଜ, ଦୋଳ, ପୋରୁହାଁ ଅଷ୍ଟମୀରେ

ତୁ ନିଶ୍ଚିନ୍ତ ଖୋଜୁ ମୋତେ

ମୋତେ ଦେଖି

ମହାନନ୍ଦର ଖୁସି ଫୁଲ ତୋ ମୁହଁରେ ଫୁଟେ

ତୁ ମୋ ରକ୍ତର ସମ୍ପର୍କ

ମେଞ୍ଚେ ସମ୍ମୋହନ ଭଉଣୀ

ମାଆ, ସ୍ତ୍ରୀର ଆଉ ଏକ ରୂପାନ୍ତର।

ତୁମେ ମୋ ଜୀବନ ବିନ୍ଦୁର

ତିନି

ଅପରିହାର୍ଯ୍ୟ ପରିଧି

ତୁମେ ନାରୀ

ମୋ ମାଆ

ସହଧର୍ମିଣୀ

ଭଗ୍ନୀ

ତୁମେ ନାହଁ ତ 

ମୋ ଜୀବନ, ଜୀଇଁବା ପରିଚୟ

କିମ୍ବା

ଅସ୍ତିତ୍ୱ ନାହିଁ

ତୁମ ବିନା ମୁଁ ନିର୍ବାକ, ନିଶ୍ଚଳ

ଗତିଶୂନ୍ୟ ଜ୍ଞାନ ହୀନ

ମହାମୂର୍ଖ

ଚେତନାବିହୀନ

ସୁଦୁ କାଠଗଣ୍ଡିଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational