ଥୁଣ୍ଟାଗଛ
ଥୁଣ୍ଟାଗଛ
ରେ ମଣିଷ ଗଲୁକି ତୁ ଭୁଲି
ଧୁ ଧୁ ଖରାରେ ଯେବେ ବାଟ ଚାଲିଚାଲି
ଆସୁଥିଲୁ ମୋ ପାଖକୁ ଛାଇଟିକେ ପାଇଁ
ମୋର ଅବୟବ ଦେଖି ତୋର ବଢିଲାକି ଲୋଭ ନିଜହାତେ କାଟି ମୋତେ କରିଦେଲୁ ଥୁଣ୍ଟା ଜାଣିପାରିଲୁନି ମୁର୍ଖ
ମୁଁ ପରା ଅମ୍ଳଜାନ ଦେଉଥିଲି ତୋତେ ଶୋଷିନେଇ ଅଙ୍ଗାରକାମ୍ଳକୁ
ମୌସୁମୀର ପରଶରେ ବର୍ଷା ମୁଁ କରଇ
ଦେଉଥିଲି ପରୋକ୍ଷରେ ତୋ ମୁହଁରେ ଅନ୍ନ ବୁଝି ନ ପାରିଲୁ ଦୁଷ୍ଟ ଅବଦାନ ମୋର ଜାଣିପାରିଲୁନି ମୋ ଶାଖାରେ କେତେ ପକ୍ଷୀ ବାସ କରୁଥିଲେ
ନିଃଶ୍ୱାସ ପଡିବ ସେମାନଙ୍କ ତମରି ଉପରେ
ପାଣି ଟୋପେ ପାଇବନି ଉତ୍ତାପ ବଢିବ
ମନେରଖ ବେଳଥାଉଁ ବନ୍ଧ ବାନ୍ଧିଦେଲେ
ନେଡିଗୁଡ ବହିଯିବ କହୁଣୀ ପାଖକୁ
ତେଣୁ ମୋର ଛୋଟକଥା ମାନି
ମନଦେଲେ ବୃକ୍ଷ ରୋପଣରେ
ଯେତେଦିନ ବଞ୍ଚିବ ମହିରେ
ସେତେଦିନ ରହିବ ସୁଖରେ
ମୁଁ କିନ୍ତୁ ଥୁଣ୍ଟା ହୋଇ ସବୁତ ଦେଖିବି
କିଏ ଆସେ କିଏ ଗଲା ହିସାବ ରଖିବି
ଆଖିରେ ଦେଖିବି କେତେ
ନବବଧୂ ଦରପୋଡା ବେଶ
କେତେ ଯୁବତୀ ହୋଇଯିବେ ଅକାଳେ ପାଉଁଁଶ
ମାତା ପିତା କୋଳଶୂନ୍ୟ କରି
ଅକାଳରେ କିଏ ଗଲା ଝଡି
ଯେମିତି ମୋ ପରିବାର ମାଟିରେ ମିଶାଇ
ମୋତେ ତୁମେ ଥୁଣ୍ଟା କରିଅଛ
ସହରୀ ସଭ୍ୟତା କୋଳେ ସେଇମିତି
ଡହଳ ବିକଳେ ଜଣେ ଜଣେ ନିଶ୍ଚୟ ମରିବ
ଭାବୁଛ ନା ସ୍ଥାବର ମୁଁ
କିଛି ଜାଣୁନାହିଁ
ମୋ ନିଃଶ୍ବାସେ କେବେ ତୁମେ ଭଲହେବ ନାହିଁ
ଯଦି ତୁମେ ଯିବରେ ବଦଳି
ଲଗାଇବ ଗଛ ଧାଡିଧାଡି
ପାଇବଟି ଜୀବନେ ଆନନ୍ଦ
କହିବନି ଏ କପାଳ ମନ୍ଦ
ସଂସାରରେ ସୁଖୀଟି ହେବାକୁ
ସେତେବେଳେ ମନେପକାଇବ
ନିଶ୍ଚେ ତୁମେ ଏ ଥୁଣ୍ଟାଗଛକୁ ।