ମୋ ନନାଙ୍କୁ ଚିଠିଟିଏ
ମୋ ନନାଙ୍କୁ ଚିଠିଟିଏ
ନନା,
ତୁମେ ଗଲାପରେ
ମୁଁ ହରାଇ ବସିଛି ମୋ ସ୍ୱାଧୀନତା
ଆକ୍ତାମାକ୍ତା ହେଇଗଲିଣି
ମେଞ୍ଚା ମେଞ୍ଚା ଅଳନ୍ଧୁ ଭିତରେ ।
ଜମାରୁ ଅଝଟ ହଉନି ଆଉ
ଗୋଟେ ପଇସା ପାଇଁ
ବୁଟ କି ବାଦାମ
ଆଇସକ୍ରିମଟେ ଖାଇବି
ଗୋଡ଼ କଚାଡୁନି
ଏରୁଣ୍ଡି ବନ୍ଧରେ ।
ପୁଳା ପୁଳା ତତଲା ପବନ ଭିତରେ
ବଞ୍ଚିବା ଶିଖିଗଲାଣି ମୁଁ
ଚାବିଦିଆ କଣ୍ଢେଇଟେ ପରି
ଅଣନିଃଶ୍ୱାସୀ ହେଇ ନାଚୁଛି
ଅନ୍ୟ ଇଙ୍ଗିତରେ ।
କାହିଁକି??ଜାଣିଛ;
ମୋ ସ୍ୱାଭିମାନକୁ ସମାଜ ହାତରେ ବିକିବିନି ବୋଲି
ହସ,କାନ୍ଦ ଇଚ୍ଛା, ଅନିଚ୍ଛା
ସବୁ ଚାବି ମୋଡୁଥିବା କଣ୍ଢେଇ ନଚାଳି ହାତରେ ।
ମୋ ମୁଣ୍ଡ ଉପରହାତଟା
ଖାଲି ପଡିଛିସେଦିନୁ
ନିଜ ପାଇଁ ସ୍ୱପ୍ନ ଦେଖିବା ଭୁଲିଗଲାଣି
ତୁମେ ଗଲା ପରେ ।
ମୁଁ ହାରି ଯାଇନି, ମୁଁ ଭାଙ୍ଗି ପଡିନି
ତୁମେ ଶିଖାଇ ଥିବା କଥା
ଅକ୍ଷରେ ଅକ୍ଷରେ ପାଳୁଛି
ତୁମେ ଚଲେଇଥିବା ବାଟରୁ
ଇଞ୍ଚେବି ଘୁଞ୍ଚିନି ।
ତୁମେ ଛାଡି ଯାଇଥିବା ଦୁନିଆଁ
ପୁରାପୁରି ବଦଳିଗଲାଣି
ମୋତେଚିହ୍ନେଇ ଥିବା ପରାଙ୍ଗପୃଷ୍ଠ ମଲାଙ୍ଗ ମାନେ
ପର ରସ ଶୋଷି ଶୋଷି ଆହୁରି
ସବଳିଆ ହୃଷ୍ଟପୁଷ୍ଟ କୋଷିକା ଲମ୍ବେଇ
ମାଡିଗଲେଣି ନୂଆ ନୂଆ ଡାଳକୁ।
ତୁମେ ଦେଖିଥିବା ଧଳାମୁଁହା ବଡ଼ମୁଣ୍ଡିଆ ମାନେ
'ଧର୍ମ' ଆଉ 'ପ୍ରେମ' ନାମରେ
ବାଣ୍ଟି ଚାଲିଛନ୍ତି ଗଣ୍ଠିଲି ଗଣ୍ଠିଲି ପଵିତ୍ର ପାପ ।
'ଉଆ ଚାଉଳ ଧୁଆ ମୁଗ'ପାଲଟି ଯାଉଛନ୍ତି
ସଫାସୁତୁରା ହାଣ୍ଡି ଭିତରେ ।
ସାଲୁ ବାଲୁ ଉଡ଼ନ୍ତା ଚୋଷକ ଆଉରଙ୍ଗବଦଳା ଏଣ୍ଡୁଅମାନଙ୍କ ଭିଡରେ
ବାଟ ବଣା ନହେବାକୁ ପାରୁ ପର୍ଯ୍ୟନ୍ତେ
ଲାଗିଛି
ଏ ଅନ୍ଧାରି ଗଳିରେ ବିଶ୍ୱାସ ଆଲୁଅଟେ ଧରି ଏକା ଏକା ଅଣ୍ଟାଭିଡି
ମୁହାଁଇଛି ।
ଟିକେ ଥକିଗଲେ ତୁମ ସାହାରାଟା
ଖୋଜୁଛି ମୁଁ,
ନନା,ତୁମେ ଥରେ ଫେରି ଆସନ୍ତି କି?? ମୋ ସ୍ୱପ୍ନରେ ।
ତୁମ କୋଳରେ ମୁଣ୍ଡ ରଖି ଶୋଇ ପଡନ୍ତି
ଉଶ୍ଵାସୀ ନିଅନ୍ତି ମୋ ନିଃଶ୍ୱାସଗୁଡାକୁ
ପୁଣି ଉଠି ଚାଲନ୍ତି ଯେ ଚାଲନ୍ତି
ବାଟ ସରିବା ଯାଏଁ ।