ଅସ୍ପଷ୍ଟ ଗାଥା
ଅସ୍ପଷ୍ଟ ଗାଥା
ଶୂନ୍ୟତାର ଏକ କଲମଟି ଧରି..
କୋହ ରୂପକ ଶବ୍ଦ ସମ୍ଭାରରେ..
ଲେଖୁଛି ମୁଁ ମୋର ଜୀବନ ଯାତ୍ରାକୁ..
ଅଶ୍ରୁର ଏ କାଳି ସାହାଯ୍ୟରେ..
ପ୍ରତ୍ୟେକଟି ଶବ୍ଦ ଶୂନ୍ୟ ଅଟେ..
ସବୁ ଶୂନ୍ୟ ଶବ୍ଦ ପୂର୍ଣ୍ଣ ଅଟେ..
ଶୂନ୍ୟତାର ଏହି ପୂର୍ଣ୍ଣତାରେପୁଣି..
ପ୍ରତ୍ୟେକଟି ପ୍ରାପ୍ତି ଅପୂର୍ଣ୍ଣ ଅଟେ..
ନିରବତାର ଛାନ୍ଦ ଅଛି ଏଠି..
ଦୀର୍ଘଶ୍ୱାସର ଲୟ ବି ଅଛି..
ଜୀବନ ଫର୍ଦ୍ଦର ପ୍ରତ୍ୟେକଟି ପୃଷ୍ଠା..
ଅଲେଖ୍ୟ ଲେଖାର ନା ଲେଖିଛି..
ସଂଘର୍ଷ ଏଠି ଯେ ବଞ୍ଚିବା ପାଇଁ..
ମୃତ୍ୟୁ ନିହାତି ସରଳ ଲାଗେ..
ବର୍ଷାଭିଜା କେତେ ଶୀତ ଗ୍ରୀଷ୍ମରେ..
ଉଷ୍ଣ ଲହୁ ମୋ ସାଥିରେ ଭିଜେ .
ପ୍ରତ୍ୟେକ ଅଶ୍ରୁ ମୁକ୍ତା ଯେ ନୁହଇ..
ଅମାନିଆ ହୋଇ ବହି ସେ ଯାଏ..
ଓଠ ପିଇବା ଆଗରୁ ସତେ କି..
ଜୀବନ ଯୁଦ୍ଧରେ ସମାପ୍ତ ହୁଏ ।
କ୍ରନ୍ଦନ ନୁହଇ ନିରବ ବାର୍ତ୍ତା ଏ..
ପହଞ୍ଚି ନାହିଁ ତବ ପାଶେ ଏହା..
ଥରେ ଯଦି ସ୍ପର୍ଶ ହେବ ତୁମ ପାଶେ ଏହା..
ପାବନୀ ଗଙ୍ଗା ସାଜିବ ଯାହା..
ନିରବତା ମୋର ଗୁଞ୍ଜରି ଉଠିବ .
ଅପ୍ରାପ୍ୟ ପ୍ରାପ୍ତିର ପୁନଃ ଆଗମନ..
ସ୍ପନ୍ଦନ ମୋର କଲରବ ନେଇ..
ଗାଇବ ମୋହର ପୁନରୁତ୍ଥାନ..
ପ୍ରତ୍ୟେକ ଶବ୍ଦ ହେବ ପୁରା ଗାଥା..
ପ୍ରତ୍ୟେକ ଉକ୍ତି ହେବ ଅଭିବ୍ୟକ୍ତି..
ଶିଥିଳ ଦେହ ଓ ପ୍ରାଣରେ ମୋହର..
ସଂଚରିବ ତୁମ ଭକ୍ତିର ଶକ୍ତି।।।।