STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
346

     

ଗଛଟିଏ ଥିଲା 

ଏ ଧୂଳି ଧୂସରିତ ମାଟିକୁ 

ଜାବୁଡି ଧରି 

ଯାଆ ଆସ କରୁଥିବାର 

ଏକ ରାସ୍ତା କଡରେ, 

ଡାଳ ପତ୍ରର ଗହଳରେ 

ଥିଲା ତାର ଗାଢ ଛାଇ। 

ପଥିକଟିଏ ଯାଉଥିଲେ ବାଟେ 

ଅଟକି ଯାଉଥିଲା ବେଳେ ବେଳେ 

ଥକ୍କା ମାରିବାକୁ ତା' ଛାଇ ତଳେ, 

ଦେଉଥିଲା ସେ ଫୁଲ ଫଳ 

ଅଯାଚିତ ଭାବେ ଅଜାଡି। 

ନା ନା ଜାତି ପକ୍ଷୀ 

ଉଡିଆସି ବସୁଥିଲେ ଢେଣା ମେଲି, 

କିଏ କିଏ ରହୁଥିଲା 

କାଠି କୁଟାର ବସା ବାନ୍ଧି। 

ସେ ସହୁଥିଲା କେତେ 

ଖରା ବର୍ଷା ଶୀତ, 

ବରଷକେ ଥରେ 

ଦେଉଥିଲା ପତ୍ର ଝଡା 

ହେବାକୁ ନବ ରୂପେ ପଲ୍ଲବିତ। 

ଦେଖିଛି ସେ କେତେ 

ଝଡ ତୋଫାନ ମହାବାତ୍ୟା, 

ଶାଖା ପ୍ରଶାଖା ତାର 

ଭାଙ୍ଗି ଗଲା ପରେ ବି 

ଶ୍ରୀହୀନ ହୋଇ ସେ 

ଧୈର୍ଯ୍ୟର ସାଥେ ମେଲିଛି ପୁଣି 

ନୂଆ ନୂଆ ଡାଳ। 

ଦୀର୍ଘ ଜୀବନର ଅନୁଭୂତି 

ଅଭିଜ୍ଞତାକୁ ଛାତିରେ ସାଇତି ରଖି, 

ପ୍ରେରଣା ଦେଉଛି ତାର 

ଉତ୍ତର ପିଢିମାନଙ୍କୁ... 

ବୟସ ତାର ବଢି ଗଲା ପରେ 

ଜରା ଜୀର୍ଣ୍ଣ ହୋଇ 

ଏବେ ସେ ପାଲଟି ଯାଇଛି 

ଗୋଟାଏ ଥୁଣ୍ଟା ଗଛ। 

ଜୀବନ ଯାକ ସେବା ତ୍ୟାଗରେ

ନିଜକୁ ଉତ୍ସର୍ଗ କରିଛି, 

ସବୁ କିଛି ତାର ଉପହାର ରୂପେ 

ସମାଜକୁ ଦେଇ ସାରିବା ପରେ 

ଅଛି ଯାହା କଙ୍କାଳ ସାର ଅବୟବ 

ସେ ସବୁ ବି ଦେବ...

ଅପେକ୍ଷାରେ ରହି 

ସମୟକୁ ସ୍ବାଗତ କରୁଛି। 

ଦାନର ପ୍ରଦିଦାନ ଖୋଜି ନାହିଁ କେବେ 

ଚାହିଁଛି କେବଳ 

ଏ ସମାଜ ବଞ୍ଚିରହୁ 

ଶାନ୍ତି ସନ୍ତୋଷରେ...

ତ୍ୟାଗର ମହିମା ବୁଝୁ ଥରେ 

ଏ ଦୁନିଆଁ ହୃଦୟର ସାଥେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract