ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଦାନ୍ତ ନିକୁଟୁଛି ଥୁଣ୍ଟା ଗଛଟାତ
ଅତୀତକୁ ତାର ହେଉଛି ଝୁରି
ସବୁରି ମନକୁ ମୋହିନେଉଥିଲା
ଫୁଲ ଫଳେ ସଦା ହୋଇ ସେ ଭରି ।
ଫୁଲ ଫୁଟୁ ନାହିଁ ଫଳ ଫଳୁ ନାହିଁ
ପତ୍ର ନାହିଁ ବୋଲି ନାହିଁ ତା ଛାଇ
ବୁଢା ହେଲା ପରେ ଆଜିତ ତା ପାଇଁ
କାହାର ଟିକିଏ ସରାଗ ନାହିଁ ।
ଥୁଣ୍ଟା ଗଛ ପରି ଅସହାୟ ଭାରି
ନାହାକ ସାହିର ସପନା ବୁଢା
ପିଲାମାନଙ୍କୁ ତା ମଣିଷ କରିସେ
ଆଜି ନିଜ ଘରୁ ଖାଉଛି ତଡା ।
ତାଳୁରୁ ତଳିପା ଦଦରା ଖୋଳପା
ଜାତିଜତି ରୋଗ ଦେହରେ ବସା
କୁଆଡେ ଯିବ ସେ କେଉଁଠି ରହିବ
ବୁଢା ବୟସ ରେ ଭୋଗୁଛି ଦଶା ।
ପୁଅ ବୋହୁ ତାର ଅୟସ କରନ୍ତି
ଉପାସ ଭୋକରେ ମରୁଛି ବୁଢା
ବୁଢ଼ୀ ଗଲା ପରେ ଜୀଇ ଥାଉଥାଉ
ବୁଢା ଆଜି ପରା ପାଲଟେ "ମଡା" ।
ଯେଉଁ ପୁଅ ପାଇଁ ନଖାଇ ନପିଇ
ପେଟକାଟି ସିଏ ସଞ୍ଚିଲା ଧନ
ସେହି ପୁଅ ଆଜି ଚାହୁଁନାହିଁ ତାକୁ
ଯତନ ନେବାତ ସାତ ସପନ ।
ଥୁଣ୍ଟା ଗଛ ବୋଲି ବାପା ମାଆଙ୍କର
ଯେଉଁ ପୁଅ ବୋହୁ କରନ୍ତି ହେଳା
ସମୟ ତ ତାଙ୍କୁ ଦଣ୍ଡ ଦେଇଥାଏ
ଟଳମଳ କରି ଜୀବନ ଭେଳା ।
