ତେଲ ଲୁଣର ଗୁଜୁରାଣ
ତେଲ ଲୁଣର ଗୁଜୁରାଣ
ତେଲ ଲୁଣର ଗୁଜୁରାଣ
ଭିତରେ ପରିବାର ପରିବର୍ଗଙ୍କ ଆପଣାପଣ
ଆତ୍ମୀୟତାର ଏକ ନିଆରା ଆକର୍ଷଣ
ଦିଏ ପ୍ରେରଣା ଯୋଗାଏ ଇନ୍ଧନ
ସଂପର୍କର ଦୂରତା କରେ ନିର୍ଦ୍ଧାରଣ
ହସରେ ଲୁହରେ ମିଳନ ବିଚ୍ଛେଦରେ
ପରିବର୍ତ୍ତନଶୀଳ ପରିବେଶ ପରିସ୍ଥିତିରେ
ଅନୁକୂଳ ପ୍ରତିକୂଳକୁ କରି ସାମ୍ନା
ଚାଳାଏ ଅନୁସନ୍ଧାନର ଦୁର୍ବାର ଅଭିଯାନ
ମିଳନର ମହାପର୍ବ ଦିଏ ଉଦ୍ଦୀପ୍ତ ଶୁଭ ସନ୍ଦେଶ
ବିଚ୍ଛେଦର କାରୁଣ୍ୟ କରାଏ ମ୍ରିୟମାଣ।
ତେଲ ଲୁଣର ଗୁଜୁରାଣ
ମେଣ୍ଟାଇବାରେ ଆସେ ଦକ୍ଷତାର ଦୃଢ଼ପଣ
ନିଜ ଯୋଗ୍ୟତାର ଦିଏ ପ୍ରମାଣ
ଜିତିବା ହାରିବାର କଳା କୌଶଳରେ
ଆରୋହ ଅବରୋହର ପ୍ରକ୍ରିୟାରେ
ବିକାଶ ପ୍ରକାଶରେ ପ୍ରଳୟ ବିଲୟରେ
ଶାରୀରିକ କଷଣ ମାନସିକ ଚିନ୍ତା ଚିନ୍ତନରେ
ଅନୁଭୂତି ଅଭିଜ୍ଞତା ସଜାଡ଼ୁଥାଏ ତା' ଭବିଷ୍ୟତକୁ
ଜିଇଁବାର ପରିଧି ମଧ୍ୟେ କରେ ପରିଭ୍ରମଣ
ଲାଗେ ସେ ତ ନିଜସ୍ବ ପୃଥିବୀର ମାଧ୍ୟାକର୍ଷଣ
ବୁଝାଏ ତାକୁ ବାସ୍ତବରେ ଜୀବନର ସଂଜ୍ଞା କ'ଣ।
ତେଲ ଲୁଣର ଗୁଜୁରାଣ
ସ୍ଵପ୍ନକୁ ଭାଙ୍ଗି ଗଢ଼ି ସାଉଁଟେ ପ୍ରତିକ୍ଷଣ
ଆଶା ଆକାଂକ୍ଷାକୁ ହୃଦୟରେ କରେ ସଂରକ୍ଷଣ
ସମତୁଲ କରିବାକୁ ମାନ ସମ୍ମାନର ମାନଦଣ୍ଡ
ପ୍ରତିଷ୍ଠା ପ୍ରତିପତ୍ତିକୁ ରଖିବାକୁ ଚାହେଁ ଅଖଣ୍ଡ
ମଧୁର ସଂପର୍କର ଭାବ ବିନିମୟରେ
ଆନ୍ତିକତାର ଦାନ ପ୍ରତିଦାନରେ
କ୍ଷୁଧା ତୃଷାକୁ ତାର କରିଥାଏ ନିବାରଣ
ନିଜ ଭିତରର ଅହଂପଣ ପାଇଁ କରେନା ଆସ୍ଫାଳନ
ନମ୍ରତା ଗୁଣେ କରିଥାଏ ସଂପୂର୍ଣ୍ଣ ଆତ୍ମସମର୍ପଣ
କିଛି ଅକାରଣକୁ କରି ନ ଥାଏ ଆତ୍ମପୋଷଣ
ପରଂବ୍ରହ୍ମଙ୍କୁ ଆଶ୍ରା କରି ନିଏ ଶରଣ।
ତେଲ ଲୁଣର ଗୁଜୁରାଣ
ଅଭାବ ଦୂର କରିବାକୁ ଦିଏ ଦିଗଦର୍ଶନ
ନିଜ ଚେତନାର ବିବେକ ବିଚାରରେ ନିଏ ନିଷ୍ପତ୍ତି
ସମ୍ଭାବନାକୁ ନେଇ ଦୂର ଦୃଷ୍ଟିରେ
ବର୍ତ୍ତମାନକୁ ତଉଲେ ଅତୀତର ସ୍ମୃତିରେ
ସ୍ବପ୍ନକୁ ଯୋଡ଼େ ଆଗାମୀ କାଲିର କଳ୍ପନାରେ
ପ୍ରାଣର ପ୍ରଣବଧ୍ଵନି ଆଣେ ଜାଗରଣ
କୁଣ୍ତଳିନୀ ଶକ୍ତି ଅନ୍ତଃକରଣରୁ ଦିଏ ଆହ୍ଵନ
ଜୀବନ ହିଁ ଆଉ ଏକ ଜୀବନକୁ କରେ ସଞ୍ଚାଳନ
ତା' ଅନୁଭବରୁ ପ୍ରାଞ୍ଜଳ ଭାବରେ ବୁଝାଇ ଦିଏ
କ'ଣ ଏ ତେଲ ଲୁଣର ଗୁଜୁରାଣ...।
