STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ତାରାଫୁଲ

ତାରାଫୁଲ

1 min
203

ହଁ ସେଦିନ ତାରାମାନେ ଫୁଲ ହୋଇ ଫୁଟୁଥିଲେ

ନଈ ସେପାରି କିଆବୁଦା ଛୁଇଁ ସଞ୍ଜ ନଇଁଗଲା ପରେ

ଜହ୍ନକୁ ଜଗାଇ ଦେଇ ମଝି ଅଗଣାରେ,

ମନ ଭରି ଖୁବ୍ ହସୁଥିଲେ ନାଚୁଥିଲେ ଓ ଗୀତ ଗାଉଥିଲେ

ରାତି ପାହିଯିବା ଯାଏଁ କେତେ କଣ ଟାହି ଟାପରାରେ

ଝଲମଲ କରି ଉଠୁଥିଲା ଆକାଶ ଉଲ୍ଲାସେ

ସତେ କି ଚାନ୍ଦୁଆଟିଏ ଆମ ଗାଁ ମଥାନ ଉପରେ। 


ହୀରା ଜଡ଼ିତ କଳା ପାଟଟିଏ

ଆଉ କଣ କେହି ଜଣେ ପିନ୍ଧି ବସିଛି ଅବଗୁଣ୍ଠନ ହୋଇ

ପ୍ରତୀକ୍ଷାରେ ପ୍ରିୟତମ ଆସିବେ ତା ବୋଲି !

ନା ସିଲଟ ଉପରେ କେହି ଜଣେ ଆଙ୍କି ଯାଇଛି

ଧୋବ ଫରଫର ଫୁଲର ମେଖଳା

ଆଉ କେଉଁ ରଙ୍ଗ ତୂଳୀ ତା ପାଖରେ ନଥିଲା ବୋଲି !


କିଏ ଜାଣେ କେଉଁ ଏକ ସରଗର ପରୀ

କାନ୍ଦୁଥିବ ଅନ୍ଧକାରେ ଲୁଚି ଲୁଚି ଅତ୍ୟନ୍ତ ଦୁଃଖରେ

ବିଛାଡି ପଡ଼ିଛି ବୋଧେ ଲୁହ ବୁନ୍ଦା ତାର 

ମୁକ୍ତା ସମ ଆକାଶ ପୃଷ୍ଠରେ,

ନୋହିଲେ ସେ ଆକାଶ ରାଇଜର ରାଜା

ଖୁସି ହୋଇ ତା ଦେଶ ପ୍ରଗତିରେ

ଜାଳି ବସିଛି ସଜ୍ଜିତ ଆଲୋକମାଳା 

ଦେଖାଇବାକୁ ତା ଭବ୍ୟ ଶାସନକୁ ବିଶ୍ଵ ଦରବାରେ। 


ଆଉ ବା ଏମିତି କେତେ କଣ ଭାସି ଆସେ

ମୋ କବିତ୍ଵର କଳ୍ପନା ଜୁଆରେ,

ସେ ତାରାଫୁଲର ଚମକ ସବୁ ଆଜି ବି ଜୀବିତ

ମୋ ସ୍ମୃତିପଟର ଆଭ୍ୟନ୍ତର ଆବଦ୍ଧ ଗୃହରେ। 


ଆଜି ସେ ଆକାଶ ଅଛି

ରାତି ତାରା ଜହ୍ନ ଆଉ ମୋ ଭେଜାଲ କବିତ୍ଵ

ସବୁ ଅଛି ସତ କିନ୍ତୁ ସେ ଗାଁ ଆଉ ଗାଁ ହୋଇ ନାହିଁ,

ପାଲଟି ଯାଇଛି ଏକ ଜୋର କରି ପନ୍ଧାଇ ଦେଇଥିବା 

ଲୌହ ପୋଷାକରେ ଆବୃତ ଯନ୍ତ୍ରଟିଏ ପରି। 

ତାରାଫୁଲର ଔଜ୍ଵଲ୍ୟ ଢାଙ୍କି ହୋଇଛି

ଆମ ପ୍ରଗତିର ବିଦ୍ରୁପ ତାଛଲ୍ୟ ଓ ଅହଙ୍କାର ଶବ୍ଦ ଶୁଣି ଶୁଣି,

ରାତି ଆଜି ଦୁଇ ମୁଣ୍ଡରୁ କଟି କଟି ଚାଲିଛି

ଓ ବଳକା ରହିଛି ଯାହା ତାହା ଏକ ବାଧ୍ୟ ବିକଳାଙ୍ଗ ପ୍ରାଣୀ,

ଆଉ ଆକାଶ, ସେ ତ ଅହରହ ଶ୍ୱାସରୁଦ୍ଧ ହୁଏ

ଆମ ମାନଙ୍କ ଔଦ୍ଧତ୍ୟ ଭରା ଘଟଣା ଗଣି ଗଣି। 


ଆଉ ମୁଁ ଆଜିର ଏ ଧୂମିଳ ଆକାଶେ

ଲିଭି ଲିଭି ଆସୁଥିବା ତାରାଫୁଲକୁ ଦେଖି

ତୋଳିବି ଭାବୁଛି ଏକ ଅଭୟାରଣ୍ୟଟେ

ସେଇ ତାରା, ରାତି, ଜହ୍ନ ସମୂହର ସୁରକ୍ଷା ଆଶାରେ,

କାରଣ ମୁଁ କବି, 

ଭାବିବା ଲେଖିବା ଛଡ଼ା ଅନ୍ୟ ଗତି ନାହିଁ ମୋ ପାଖରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract