STORYMIRROR

sushama Parija

Inspirational Others

3  

sushama Parija

Inspirational Others

ସୂର୍ଯ୍ୟୋଦୟ ଅପେକ୍ଷାରେ ଜୀବନ

ସୂର୍ଯ୍ୟୋଦୟ ଅପେକ୍ଷାରେ ଜୀବନ

2 mins
444


ରହି ଯାଆ ଟିକିଏ ଧନରେ ,ରାତି ଆଉ ଅଳ୍ପ ଅଛି ବାକି

ହାଡ ଭଙ୍ଗା ଶୀତ ଥରାଉଛି ମଞ୍ଜ ଓଠ ତୋ’ର ଯାଏ ଶୁଖି ।।

ତିନି ଦିନ ହେଲା ଉପାସୀ ପେଟ ମୋ ସହୁନି ଭୋକର ଦାଉ

ଶୁଖିଲା ଥନରୁ କ୍ଷୀର ବାହାରୁନି, କହ କି ବୁଦ୍ଧି କରିବି ଆଉ ।।

କେଡେ ହୀନିମାନ ତୋ’ ମୋ’ ଜୀବନ ବିଧାତାର ଖେଳସବୁ

କିଏ ଜାଣିଥିଲା ଆମ କପାଳରେ ଏ ଦୁର୍ଦ୍ଦଶା ଅଛିରେ ବାବୁ?

ସଳଖ ସୁନ୍ଦର ଭେଣ୍ଡିଆ ତୋ’ ବାପା ବିଲ ବାଡି ଖଟୁଥିଲା

କରମ ବାମକୁ ଚାଷ ଉଜୁଡିଲା “ ଲେଡା” ପୋକ ଲାଗିଗଲା।।

ସାହୁର କରଜ, ଦୋକାନୀର ବାକୀ, ସବୁ ଶୁଝି ପାରିଲାନି ସିଏ

ମୁଣ୍ଡ ବିଗିଡିଲା,ହତାଶାରେ ତା’ତ ,ଏବେ ଦିନରାତି ମଦପିଏ ।।

ଗୋଟି ଗୋଟି କରି ବାସନ କୁସନ,ଆଉ ଯାହାକିଛି ଘରେଥିଲା

ସବୁ ବିକି ବିକି କଙ୍ଗାଳ ହୋଇ ସେ ମଦକୁ ସଙ୍ଖାଳି କଲା ।।

ସେ ଘରକୁ ଭୁଲିଲା,ମତେ ବି ଭୁଲିଲା, ତତେ ବି ଭୁଲିଲା ମନୁ

ମଦଭାଟିରେ ସେ ଦିନରାତି କାଟେ କ୍ଷୀଣ ହେଲା ତା’ର ତନୁ।।

ରାଜ ଯକ୍ଷ୍ମା ରୋଗ ଗ୍ରାସ କଲା ତା’କୁ ଚିକିତ୍ସା ବିନା ସେ ମଲା

ଗାଁ ଟାଉଟର ଧନିଆଁ ରାଉଳ ତା’କୁ ଚାଷୀମୃତ୍ୟୁ ରଙ୍ଗ ଦେଲା ।।

ଡିବି ଡିବି ହୋଇ ସେଇ କଥା ସବୁ ରାଜ୍ୟ ସାରା ଖେଳିଗଲା

କବାଟବନ୍ଧର ସଦେଇ ନାଇକ ଋଣୀ ହୋଇ ବିଷଖାଇ ମଲା ।।

କୁଜିନେତା ଠାରୁ ବଡ ନେତା ଯାଏ ସବୁ ଦଳ ଦଳ ହୋଇ ଆସି

ମୋ ଭଙ୍ଗା କୁଡିଆର ଦୁଆର ମୁହଁରେ ଯେସଭା କରୁଥାନ୍ତି ବସି।।

ଶୁଆ ଭଳି କିଛି ଶବ୍ଦଗୁଡେ ବାବୁ ମୋ ମୁହଁ ରେ ଘୋଷାଇ ଦେଲେ

ଯିଏ ପଚାରିବ, ଏଇଆ କହିବୁ ବୋଲି ମୋତେ ସମଝାଇ ଦେଲେ ।।

ଦିନ ରାତି ଖାଲି ସେଇ କଥା କହି ମୋର ଥକିଗଲା ଦାନ୍ତ ପାଟି

ତୁ ଅଣଦେଖା ହୋଇ ରୋଗରେ ପଡିଲୁ ଉପାସରେ ଦିନ କାଟି।।

ଫଟା କପାଳ ତ ଆମରରେ ବାବୁ କାହାକୁ ବା ଦୋଷ ଦେବା?

ସବୁ କଥା ଶୁଣି କାଳେ ସର୍କାରେ କହିଲେ ଇଏ ସବୁ ମିଛ, ଢାବା ।।

ସଦେଇ ନାଇକର ଘରଣୀଟା ପରା ବଡ ଦୋଚାରୁଣୀ ଥିଲା

ବହୁଦିନ ହେବ ସ୍ୱାମୀ ସ୍ତ୍ରୀ ଦୁହେଁ ଘରେ ପରା କରୁଥିଲେ ଠିଆ ପାଲା।।

ସଦେଇ ନାଇକ ବଡ ନିରିମାୟା ନୋକ ଏହା କେଭେଁ ସହି ନପାରିଲା

ମାଇପକୁ ପାନେ ଚଖେଇବ ବୋଲି ସିଏ ଦାନାଦାର ଖାଇଦେଲା ।।

ବେଡି ଉପରେ ଯେ କୋରଡା ପରିକା ଗାଁ ଯାକ ହାଉ ହାଉ ହେଲେ

ନ ଦେଖିଲା ଓଉ ଛ’ ଫଡା ପରିକା ମତେ ସଭାରେ ଦୋଚାରୀ କଲେ।।

ଘଉଡେଇ ଦେଲେ ଗାଁରୁ ବାବୁରେ ରାଣ୍ଡି, ଦୋଚାରୁଣୀ କରି

ଟେକା ପଥର ବି ଗୋଡେଇ ମାଇଲେ ଧାଇଁଲି ତୋତେ ରେ ଧରି।।

ମୋର ଜୀବନକୁ ନାହିଁ ରେ ମୋ ଲୋଭ ଖାଲି ତୋ’ରି ପାଇଁ ଭାଳେ

ତୋତେ ଦଶ ମାସ ଧରି ଗର୍ଭରେ ଧରିଛି, ଏବେ ଛାଡିବି କି ହେଳେ?

ଧାଇଁ ଆସିଥିଲି ଗାଁ ଭିତରୁ ମୁଁ ଏଇ ଗାଁ ମୁଣ୍ଡ ଜଙ୍ଗଲରେ ଶୁଣିଥିଲି

ଅନ୍ଧାର ହେବାରୁ ଛପି ଛପି ବାବୁ ଏଇ ବସଷ୍ଟାଣ୍ଡ୍ ଯାଏଁ ଆସିଗଲି ।।

ଆଶ୍ରୟ ନେଇଛି ଏଇ ଭଙ୍ଗା ଦୋକାନ ପିଣ୍ଢାରେ ଯାକିଯୁକି ତତେ ଧରି

ଛିଣ୍ଡା କନ୍ଥଡା ଟେ ବି ନାହିଁ ମୋ ପାଖରେ ତତେ ଶୁଆଇ ଦିଅନ୍ତି ପାରି।।

ଟିକିଏ ସମ୍ଭାଳି ରହିଥା ଧନରେ ମୋର ଏଇ ଛିଣ୍ଡା ପଣତ ତଳରେ ତୁ

ଭୋର୍ ବସ୍ ଟା ଆସିଲେ ରେ ପ୍ରାଣଧରି ସାଥେ ତତେ ନେଇଯିବି ମୁଁ ।।

ଏଡେ ବଡ ଏଇ ସଂସାର ଭିତରେ କେଉଁଠି ହେଲେ ଏମିତି ଜାଗା ତ ଥିବ

ଯେଉଁଠି ଆମ ମାଆ ପୁଅ ଦି ଜଣଙ୍କ ପାଇଁ ବିଧାତା ଥାନ ଟେ ତ ରଖିଥିବ।।

ମାତ୍ର ଘଡିଏ ତୁ ଆଉ ଶୋଇଯା’ ଧନରେ ନୀରବେ ମୋ ଶୁଖିଲା ଥନକୁ ପିଇ

ଏ ଅମା ରାତି ନିଶ୍ଚେ ଶେଷ ହୋଇବରେ, ଦେଖିବୁ ସୁରୁଜ ଆସିବେ ଉଇଁ ।।

ସୁଷମା ପରିଜା ଶାରଳା ଭବନ ପୋତାପୋଖରୀ ନୂଆବଜାର କଟକ


Rate this content
Log in

Similar oriya poem from Inspirational