ସୁସନ୍ତାନ
ସୁସନ୍ତାନ
ଷାଠିଏ ହଜାର ପୁଅ ସଗର ରାଜାର
କପିଳଙ୍କ ଅଭିଶାପେ ହେଲେ ଭସ୍ମସାର |
ଏମାନଙ୍କୁ ଉଦ୍ଧରିବା ପାଇଁ ଭଗୀରଥ
ରାଜା ଦିଲ୍ଲୀପଙ୍କ ପୁତ୍ର ହୋଇଲେ ସମର୍ଥ |
ସେହି ଯୋଗ୍ୟ ସୁତ ଗଙ୍ଗା ମର୍ତ୍ତ୍ୟକୁ ଆଣିଲା
ଏଣୁ ଗଙ୍ଗା ନାମ ଭାଗିରଥୀ ବୋଲାଇଲା |
କର୍ଦ୍ଦମ ଦେବହୁତିଙ୍କ ସୁଯୋଗ୍ୟ ସନ୍ତାନ
କପିଳ ପିତା ମାତାରେ ଦେଲେ ବ୍ରହ୍ମଜ୍ଞାନ |
ଯମଦଗ୍ନି ରେଣୁକାଙ୍କ ପୁତ୍ର ପର୍ଶୁରାମ
ଏକା ଏକୋଇଶ ବାର ଭ୍ରମି ଧରାଧାମ |
କ୍ଷତ୍ରିୟ ରକ୍ତରେ କଲେ ପିତୃ ତରପଣ
ଚିରଞ୍ଜିବୀ ଭଗବାନ ଗୁରୁ ଅଗ୍ରଗଣ୍ୟ |
ଏକା ଯୋଗ୍ୟ ପୁତ୍ର ଥିଲେ ଶ୍ରବଣ କୁମାର
ପିତୃ ମାତୃ ଭକ୍ତ ଅଦ୍ଵିତୀୟ ଗୁଣାଧାର |
ରାମଚନ୍ଦ୍ର ଦଶରଥ ସୁଯୋଗ୍ୟ କୁମର
ସାଗର ବନ୍ଧନ ଦଶକନ୍ଧ ନାଶକର |
ଦ୍ୱାପରେ ଯୋଗ୍ୟ ସନ୍ତାନ ଶାନ୍ତନୁ କୁମର
ଗଙ୍ଗା ପୁତ୍ର ଭୀଷ୍ମ ରଚି କୀରତି ଅମର |
ବାସୁଦେବ କୃଷ୍ଣଚନ୍ଦ୍ର ରାଜା ଯୁଧିଷ୍ଠିର
ଅକଳଙ୍କ କୀର୍ତ୍ତିକର ଅମଳିନ ଚିର |
କଳିରେ ମହାତ୍ମା ଗାନ୍ଧି ସୁବାସ ଚୈତନ୍ୟ
ବୁଦ୍ଧ ଶଙ୍କର ଅଟଳ ମୋଦି ମହାତ୍ମନ |
ଜୀବନେ ହୋଇବ ପିତାଙ୍କର ଅନୁଗତ
ଆଜ୍ଞାବହ ପାଳନ ପୋଷଣ ସେବା ରତ |
ମୃତାନ୍ତେ ଭରି ଭୋଜନ ଅସ୍ଥି ବିସର୍ଜନ
ପିତୃ ଋଣ ପରିଶୋଧ ଆକାଂକ୍ଷା ପୂରଣ |
ଯୋଗ୍ୟ ସନ୍ତାନର ଏହି ବିଶିଷ୍ଟ ଲକ୍ଷଣ
କଳିଯୁଗେ ଏ ଆଦର୍ଶ ଆଜି ପ୍ରହସନ |
ଜରା ନିବାସରେ ରହୁ ଛନ୍ତି ମାତାପିତା
ଧିକ ସେହି କୁଳାଙ୍ଗାର ଶିକ୍ଷିତ ଶିକ୍ଷିତା |
