ସୁନୟନା
ସୁନୟନା
ଫଗୁଣ ର ଏକ ନିରୋଳା ସଞ୍ଜରେ
ଆସୁଥିଲି ଏକା ଏକା
ମନଟା ମୋ ଟିକେ ଉଦାସ ଲାଗିଲା
ବସିଗଲି ମାରି ଥକ୍କା |
କାହିଁ କେଉଁ ଆଡୁ ଲଳନାଟେ ଆସି
ରହିଗଲା ମୋର ପାଶେ
ଧୀର ପାପୁଲିରେ ମଥାକୁ ଆଉଁସି
ଚାହିଁଲା ସେ ଦରହାସେ |
ପଚାରିଲା ଧୀରେ କି ହେଲା ତୁମର
ଭଲ ନାହିଁ ତୁମ ଦେହ
କେମିତି ଲାଗୁଛି ଭଲ ଅବା ମନ୍ଦ
ଦୟାକରି ମୋତେ କୁହ |
ମଥା ଟେକି ବାରେ ଚାହିଁଲି ତା'ମୁଖ
ଚିହ୍ନା କି ଅଚିହ୍ନା ମୋର
କେଉଁ ସାହସରେ ଏକାକୀ ସଞ୍ଜରେ
କଲା ମୋତେ ହର ବର |
ଛାତିଟା ମୋହର ଥରି ଉଠୁଥିଲା
ଦେଖି ସୁନୟନା ମୁଖ
ଆଦ୍ୟ ଯୌବନେ ଯା' ପ୍ରେମରେ ପଡିମୁଁ
ହରାଇଛି ମୋର ସୁଖ |
ଶୟନେ ସ୍ୱପନେ ଦେଖୁ ଥିଲି ଯା'ର
ତ୍ରସ୍ତ ହରିଣୀ ଚକ୍ଷୁ
ଘନ କଳା କେଶ ପ୍ରଶାନ୍ତ ତା' ବେଶ
ଲାଗୁ ଥିଲା ବୌଦ୍ଧ ଭିକ୍ଷୁ |
ହାତଟାକୁ ତାର ପକାଇଲି ଧରି
ହୃଦୟ ମୋ ଗଲା ପୂରି
ନୂଆ ସହରରେ ପୁରୁଣା ପ୍ରେମକୁ
ପାଇଲି ମୁଁ ଘୁରି ଘୁରି |
ପ୍ରୀତି ମହ୍ଲାରରେ ଦେଖୁଛି ଯା' ରୂପ
ଖଦ୍ୟୋତର ଜ୍ୟୋତି ସମ
ଘୋର ତାମସାରେ ଆଶାର ଆଲୋକ
ହୃଦୟେ ଲେଖା ତା'ନାମ |