ସୁନା ସଂସାର
ସୁନା ସଂସାର
ବୈକୁଣ୍ଠ ସମାନ ଏଇ ମୋର ଘର
ଲାଗେ ଶ୍ରୀମନ୍ଦିର ପରି
ମୋ ଘର ଅଗଣା ସଦା ହସି ଉଠେ
ସେନେହ ଶରଧା ଝରି l
ଭାଇ ଭାଉଜ ମୋ ଚଳନ୍ତି ଠାକୁର
ସତେ ଅବା ରାମସୀତା
ମୋ ସୁନା ସଂସାର ହସେ ତାଙ୍କ ପାଇଁ
ହୋଇ କି' ଜଗତଜିତା l
ଭାରି ସାଦାସିଧା ତ୍ୟାଗର ପ୍ରତୀକ
ଭାଇ ମୋ ରାମଚନ୍ଦର
ଭାରି ସ୍ନେହମୟୀ ମମତାର ସିନ୍ଧୁ
ଭାଉଜ ସୀତା ମୋହର l
ବଞ୍ଚିଥିବା ଯାଏଁ ଭାଇ ଭାଉଜଙ୍କ
ପାଖେ ସଦା ମୁଁ ରହିବି
ଲକ୍ଷ୍ମଣଙ୍କ ପରି ନିଃସ୍ୱାର୍ଥ ଭାବରେ
ଦୁହିଁଙ୍କ ସେବା କରିବି l
ହସିଲା ପୁରିଲା ଏମିତି ସଂସାର
ଦେଖି ନାହିଁ କେଉଁଠାରେ
ପର ଆପଣାର ଭେଦ ଭାବ ଯହିଁ
ନ ଥାଏ କାହା ମନରେ l
ସବୁ ଦୁଃସମୟ ଅପସରି ଯାଉ
ନ ଲାଗୁ କାହା ନଜର
ହେ କଳା ଠାକୁର ତୁମ କୃପା ବଳେ
ହସୁ ମୋ ସୁନା ସଂସାର l
