ସୁଖଦିନ ଆୟୁ ଅଳପ
ସୁଖଦିନ ଆୟୁ ଅଳପ
ବଡ ପଟୁଆର କରି ଋତୁରାଜ ଆସିଲା,
ପାଦପ ପଲ୍ଲବି ସବୁଜ ସବୁଜ ଦିଶିଲା |
ଗଛଡାଳେ ନେନ୍ଥିନେନ୍ଥି ଫୁଲକଢ଼ି ଧରିଲା,
କିଛିଦିନପରେ ଫୁଟି ମହମହ ବାସିଲା |
ଶିମିଳି,ପଳାସ ବଣମୁଲକରେ ହସିଲା,
କୋଇଲିର କୁହୁତାନ ଚୁତଡାଳୁ ଶୁଭିଲା |
ଦକ୍ଷିଣଦିଗରୁ ମଳୟ ପବନ ବହିଲା,
ଗାଆଁରେ ଗାଆଁରେ ଦୋଳମେଳଣ ବି ଜମିଲା
ଦିନକେଇଟାରେ ଧରଣୀର ତାପ ବଢିଲା,
ମଳୟବାଆଟା ଝାଞ୍ଜିହୋଇ ମାଡି ଆସିଲା |
ବାଟଘାଟ ତାତି ନିଆଁପରି ସେତ ଲାଗିଲା,
ପାଣିପାଇଁ ଚାରିଆଡେ ହାହାକାର ପଡିଲା |
ଗମ୍ ଗମ୍ ଝାଳ ବୋହି ଦେହଲାଗେ ଚିକିଟା,
ଫ୍ୟାନ,ଏ.ସି,କୁଲରର ବଢ଼ଗଲା ଭାଉଟା |
ଚାଆର ଆଦର କମି ଲସିଦାମ୍ ବଢ଼ିଲା,
ତବତ ନିରବି ପଖାଳକୁ ବାଟ ଛାଡିଲା |
ବସନ୍ତର ସୁଖ ନାହିଁ ଏବେ ଆଉ ମହୀରେ,
କେବେ ଆସି କେବେ ଗଲା ଜାଣିହେଲା ନାହିଁରେ |
ସେଦିନର କଥା ଲାଗେ ଆଜି ସତେ ଗଳପ,
ବୁଝିଗଲୁ ଏବେ ସୁଖଦିନ ଆୟୁ ଅଳପ |
