ସୁଖ ଦୁଃଖର ସାଥି
ସୁଖ ଦୁଃଖର ସାଥି
କାଳିଗାଈ ମୋ କାଳିଗାଈ
ବାରଣ କଲି ମାନିଲୁ ନାହିଁ
ଛପିଛପି ତୁ କାହିଁକି ଯାଇ
ଫୁଲଗଛକୁ ଦେଲୁ ଖାଇ
କେଡେ ସୁନ୍ଦର ସତେ ସିଏ
ନିଇତି କେତେ ଖୁସିରେ ହସି
ଖେଳୁଥିଲି ମୁଁ ତା' ପାଶେ ବସି
ଥିଲା ସେ ମୋର ମିତଟିଏ
ବାଆ ବହିଲେ ଶୀରିଶୀରି
ଉଆଁସ ରାତି ଆକାଶ ପରି
ଫୁଲ ତାରାଙ୍କୁ ଡାଳରେ ଧରି
ହସୁଥିଲା ସେ କିରିକିରି
ପଚାରେ ମୁହିଁ ଆଜି ତୋତେ
ଖେଳିବା ଲାଗି ଚାହିଁବି ଯେବେ
କାହା ସାଥିରେ ଖେଳିବି ଏବେ
ସତକରି ତୁ କହ ମୋତେ
ପାଇବି କାହୁଁ ଫୁଲଟିଏ
କୁନି ହାତରେ କାହାକୁ ଧରି
ମାଳା ଗଢିବି ଯତନ କରି
କହ ମୋହର ହେବ କିଏ
କାଳିଗାଈ ଲୋ କାଳିଗାଈ
ଚାରା ମୁଁ ଯେବେ ପୋତିବି ଆଣି
ମୂଳରେ ତା'ର ଢାଳିବି ପାଣି
ଖାଇବୁ ନାହିଁ ଆଉ ଯାଇ
ବଢି ବଢି ସେ ଗଛ ହେବ
ତାହାରି ଲାଗି ବରଷା ଧାରା
ଝରିବ ଆମ ରାଇଜ ସାରା
ଫୁଲ ଫଳ ବି ସିଏ ଦେଵ
ଗଛ ସମାନ ନୁହେଁ କେହି
ଥିଲେ ସେ ଥିବା ଭଲରେ ଆମେ
ଲାଗିବ ସେ'ତ ଆମରି କାମେ
ସୁଖ ଦୁଃଖର ସାଥି ସେହି
