STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସୁଦଶା ବ୍ରତ ମୋ ବିଚ୍ଛନ୍ନାଚଳେ

ସୁଦଶା ବ୍ରତ ମୋ ବିଚ୍ଛନ୍ନାଚଳେ

2 mins
192


ସିନ୍ଧୁର ଦୁଲଣୀ ତୁହି ଲକ୍ଷ୍ମୀ ଠାକୁରାଣୀ,

ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ପୁଣି।୧।


ବିଷ୍ଣୁଙ୍କ ଘରଣୀ ମାତ ଅଟୁ ପାଟ ରାଣୀ,

ତେଣୁ କରି ନାମ ଅଟେ ଲକ୍ଷ୍ମୀ ନାରାୟଣୀ।୨।


ଭାଦ୍ରମାସର ଆଜି ଶୁକ୍ଳପକ୍ଷ ଗୁରୁବାର,

ଅଟେଟି ଦଶମୀ ହିଁ ପୁଣି ଲକ୍ଷ୍ମୀଙ୍କବାର।୩।


ସୁଦଶା ବ୍ରତଟି ପୁଣି ଲକ୍ଷ୍ମୀଦେବୀଙ୍କର,

ଗୃହଣୀ କରନ୍ତି ପୂଜା ଲକ୍ଷ୍ମୀଦେବୀଙ୍କର।୪।


ଏକବର୍ଣ୍ଣ ଗାଈର ସେ ଗୋବର ଆଣନ୍ତି,

ସୁସଞ୍ଚ କରିଣ ଘର ଦୁଆର ଲିପନ୍ତି।୫।


ନଦୀରେ ସ୍ନାନାଦି ଆଦି କାର୍ଯ୍ୟକର୍ମ ସାରି

ତଣ୍ଡୁଳ ବାଟନ୍ତି ସେହୁ ଶ୍ରଦ୍ଧା ଭକ୍ତି ଭରି।୬।


ଝୁଣ୍ଟିଆଳ ପଣା ଯତ୍ନେ ଘରରେ ଲେପନ୍ତି,

ଭକ୍ତିପୂର୍ଣ୍ଣ ହୋଇ ଘଟ ଲକ୍ଷ୍ମୀଙ୍କ ସ୍ଥାପନ୍ତି।୭।


ଶଙ୍ଖ ହୁଳହୁଳି ତହିଁ ଭକ୍ତିରେ ପୂଜନ୍ତି,

ହଳଦୀ ଚନ୍ଦନ ନେଇ ଘଟରେ ଦିଅନ୍ତି।୮।


ଚୁତ୍ୟ ଡାଳ ଘଟେ ରଖି ଭକ୍ତିରେ ପୂଜନ୍ତି,

ଧୂପ ଦୀପ ନୈବେଦ୍ୟକୁ ଅର୍ପଣ କରନ୍ତି।୯ ।


ଗନ୍ଧ ପୁଷ୍ପ ଦୂବ ପୁର ମଣ୍ଡା ଦଶ ଦେଇ,

ଅର୍ପଣ କରନ୍ତି ସେହୁ ଭକ୍ତି ଚିତ ହୋଇ।୧୦।


ନଳ ଦମୟନ୍ତି କଥା ଭକ୍ତିରେ ଶୁଣନ୍ତି,

ଲକ୍ଷ୍ମୀ ନାମ ଧରି ବ୍ରତେ ଗଣ୍ଠି ଦେଉଥାନ୍ତି।୧୧।


ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ,

ଦ୍ବିତୀୟ ଗଣ୍ଠିର ନାମ ହେଲା କମଳିନୀ।୧୨।


ତୃତୀୟ ଗଣ୍ଠିର ନାମ ଅଟେ ହରିପ୍ରିୟା,

ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା।୧୩।


ପଞ୍ଚମ ଗଣ୍ଠିର ନାମ ଅଟଇ କମଳା,

ଷଷ୍ଠ ଗଣ୍ଠିର ନାମଟି ଅଟଇ ଚଞ୍ଚଳା।୧୪।


ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ,

ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲଣୀ।୧୫।


ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ,

ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ।୧୬।


ଲକ୍ଷ୍ମୀ ଦଶ ନାମ ଧରି ଗଣ୍ଠି ଦେଉ ଥାନ୍ତି,

ନଳ ଦମୟନ୍ତି କଥା ଭକ୍ତିରେ ଶୁଣନ୍ତି।୧୭।


ଭକ୍ତି ଚିତ ମନେ ସେହୁ ମାତାଙ୍କୁ ଡାକନ୍ତି,

ହୁଅ ଆବିର୍ଭାବ ମାତା ଭକ୍ତିରେ କୁହନ୍ତି।୧୮।


କଲେ ସୁଦଶା ବ୍ରତଟି ପୂର୍ଣ୍ଣ ମନବାଞ୍ଛା,

ବ୍ରତ କଲେ ଦମୟନ୍ତି ବିଘ୍ନ ପଛଘୁଞ୍ଚା।୧୯।


ସ୍ବାମୀ ପୁତ୍ର ଅଳଙ୍କାର ସବୁ ପାଇଥିଲେ,

ପୁଣି ହିଁ ନିଜର ରାଜ୍ୟ ଫେରି ପାଇଥିଲେ।୨୦।


ଲକ୍ଷ୍ମୀଙ୍କର ଏହୁ ବ୍ରତ ଶ୍ରେଷ୍ଠ ଅଟେ ଭବେ,

ସୁଦଶା ବ୍ରତର ନାମେ ବିଖ୍ୟାତ ସଂସାରେ।୨୧।


ଯେଉଁ ନାରୀ କରେ ବ୍ରତ ଭକ୍ତି ଚିତ ମନେ,

ଲକ୍ଷ୍ମୀପୂର୍ଣ୍ଣ ହୁଏ ଗୃହ ଲକ୍ଷ୍ମୀଙ୍କ ପୂଜନେ।୨୨।


ଅପୁତ୍ରିକ ନାରୀ ପାଏ ପୁଣି ପୁତ୍ର ଦାନ,

ଦରିଦ୍ର ହୁଅଇ ଧନୀ ପାଏ ବିଦ୍ୟା ଦାନ।୨୩।


ଏହୁ ବ୍ରତଟି ଲକ୍ଷ୍ମୀଙ୍କ ଗୁଞ୍ଜେ ଘନଘନ,

ଚହଳ ପଡେଟି ଆଜି ଲକ୍ଷ୍ମୀ ଆଗମନ।୨୪।


ଶଙ୍ଖ ହୁଳହୁଳି ଶବ୍ଦେ ଗୁଞ୍ଜୁ ଥାଏ ମହୀ,

ଲକ୍ଷ୍ମୀ ଠାକୁରାଣୀ ରାବ୍ ମହୁ ଥାଏ ମହୀ।୨୫।


ବ୍ରତଟି ସୁଦଶା ହୁଏ ବିଚ୍ଛନ୍ନାଚଳରେ

ଆଦରେ କରନ୍ତି ବ୍ରତ ମହିଳା ଏଠାରେ।୨୬।


ଓଡ଼ିଆ ଭୂମିଟି ଆମ ବିଚ୍ଛନ୍ନାଚଳର,

ମନବାଞ୍ଛା ପୂର୍ଣ୍ଣ କର ଓଡ଼ିଆ ଭାଷାର।୨୭।


ଓଡ଼ିଆ ଭାଷାର ମାନ ରଖ ମହାଲକ୍ଷ୍ମୀ

ସବୁ ଇଚ୍ଛା ପରିପୂର୍ଣ୍ଣ କର ମହାଲକ୍ଷ୍ମୀ।୨୮।


ଓଡ଼ିଆ ପ୍ରଦୀପ ଜଳୁ ଓଡ଼ିଆ ଭୂମିରେ,

ଭାଷାପୂର୍ଣ୍ଣ କର ମାତା ବିଚ୍ଛନ୍ନା ଭୂମିରେ।୨୯।


ଲକ୍ଷ୍ମୀଙ୍କ ଦୟାରେ ହେଉ ଭାଷାପୂର୍ଣ୍ଣ ଭୂମି,

ଅଭିଳାଷା ପୂର୍ଣ୍ଣ ହେଉ ଆମ ମାତୃଭୂମି।୩୦।


ସିନ୍ଧୁର ଦୁଲଣୀ ତୁହି ଲକ୍ଷ୍ମୀ ଠାକୁରାଣୀ,

ସମୁଦ୍ର ମନ୍ଥନୁ ଜାତ ହୋଇଲୁ ତୁ ପୁଣି।୨୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract