ସୁଦାମା
ସୁଦାମା
ଦ୍ୱାରାବତୀ ପୁର ରାଜ ରାଜେଶ୍ୱର
ପ୍ରିୟତମ ପ୍ରାଣସଖା
ଭାବୁଛି ନିଜର ଅତି ଆପଣାର
ଦିଅ ଭଗବାନ ଦେଖା
ଡାକୁଛି ସୁଦାମା ଦ୍ୱାରେ
ଆସିଅଛି ଦୂରୁ ଚାଲି ଚାଲି ପଥ
ବସିଅଛି ସିଂହଦ୍ୱାରେ ।
ଦରିଦ୍ର ବ୍ରାହ୍ମଣ ଅତି ଅସହାୟ
ଜୀବିକା ମୋ ଭିକ୍ଷାବୃତ୍ତି
ଆଣି ପାରି ନାହିଁ ତୁମ ପାଇଁ ସଖା
କିଛି ଉପହାର ଭେଟି
ଲାଗୁଛି ଶରମ ଲାଜ
ଛିଣ୍ଡା ତାଳିପକା ମଳିନ ମୋ ବସ୍ତ୍ର
ଲାଗୁଅଛି ଅସହଜ ।
ଭିଜିଛି ସରାଗେ ଖୁଦ ଭଜା ମୁଠି
ବାନ୍ଧିଛି ଯତ୍ନେ ସାଇତି
ଦେଇଥିଲେ ତୁମ ସଖୀ ବନ୍ଧୁ ପତ୍ନୀ
କୋଟିନିଧି ଭାବି ଅତି
ଲାଗୁଅଛି ମୋତେ ଭାରି
ଦେବାକୁ କୁଣ୍ଠିତ ନଦେଲେ ଅପ୍ରାଧ
ଲାଜେ ଯାଉଛି ମୁଁ ଜଳି ।
ଅନାଥର ନାଥ ତୁମେ ଜଗନ୍ନାଥ
ଦୟାମୟ କୃପାସିନ୍ଧୁ
ତୁମେ ଭଗବାନ ଲୀଳାମୟ କୃଷ୍ଣ
ଭାବକୁ ନିକଟ ବନ୍ଧୁ
ବୁଝିବ ମୋ ମନ ବ୍ୟଥା
ରଖିଅଛି ଆଶା ବିଶ୍ୱାସ ଭରସା
ବୁଝିବ ନାହିଁ ଅନ୍ୟଥା ।