ସତ୍ୟମେବ ଜୟତେ
ସତ୍ୟମେବ ଜୟତେ
ସୃଷ୍ଟି ରହସ୍ୟର ବିଶିଷ୍ଟ ତତ୍ତ୍ବଟି
ଜଗତରେ ଅଟେ ଶ୍ରେଷ୍ଠ ।
ପୁରାଣ ବର୍ଣ୍ଣିତ ଚାରି ଯୁଗେ ମଧ୍ଯେ
ଯୁଗାଦ୍ୟ ନାମଟି ସତ୍ୟ |
ବେଦର ଉକ୍ତିଟି ଅଟଇ ଯଥାର୍ଥ
“ସତ୍ୟମ୍ ଏବ ଜୟତେ” |
ତା'ର ବ୍ୟତିରେକ ନାହିଁଟି ବିକଳ୍ପ
ଏହା ଜାଣନ୍ତି ସମସ୍ତେ | |
ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ଵ,
ଦୁଇଭାଇ ମିଥ୍ୟା-ସତ୍ୟ ।
ଯୁଗ୍ମ ଅକ୍ଷରର ସମନ୍ବୟେ ସୃଷ୍ଟି
ଉଭୟଙ୍କ ଭିନ୍ନ ତଥ୍ୟ ।।
ସହଜାତ ଗୁଣେ ଦୁହେଁ ଦୁହିଁଙ୍କର,
ହୋଇଥାନ୍ତି ମହାଅରି ।
ସଂସାର ରଥଟି ଚାଲୁଥାଏ ନିତ୍ୟ ,
ଦୁଇ ଚକ୍ରେ ଆଶ୍ରା କରି ।।
ଯଦ୍ୟପି ସଂସାରେ ସତ୍ଯ ହିଁ ଶାଶ୍ୱତ,
ସତ୍ଯର ହିଁ ସଦା ଜୟ ।
ତଥାପି ମିଥ୍ୟା ବ୍ଯତିରେକେ ସତ୍ୟ,
ନ ହୁଏ କଦାପି ଦୃଶ୍ୟ ।।
ପ୍ରିୟାପ୍ରିୟ ସତ୍ୟ ଅଟଇ ଦ୍ଵିବିଧ ,
ପ୍ରିୟ ସତ୍ୟ ଆପଣାର ।
ଅପ୍ରିୟ ସତ୍ୟ ଯେ ଅତି ଭୟଙ୍କର,
ଆପଣା ଵି ହୁଏ ପର ।।
ସତ୍ଯର ପଥଟି ଅଟେ କଣ୍ଟକିତ,
ଚାଲିବା ବଡ କଠିନ ।
ଦୁଃସାଧ୍ୟ ପଥକୁ ନେଲେ ଆପଣେଇ,
ସାର୍ଥକ ହୁଏ ଜୀବନ ।।
ସାମୟିକ ସୁଖ ମିଳଇ ମିଥ୍ଯାରେ,
ନ ଥାଏ ଆତ୍ମସନ୍ତୋଷ ।
ଆତ୍ମନିଷ୍ଠା ପୁଣି ଧୈର୍ଯ୍ଯଗୁଣ ବଳେ,
ମିଳେ ଆନନ୍ଦ ଅଶେଷ ।।
ରାମ-ବୁଦ୍ଧ-ଯୀଶୁ-ଗାନ୍ଧୀ-ସକ୍ରେଟିସ,
ଥିଲେ ସତ୍ଯର ପୂଜକ ।
ସତ୍ଯରକ୍ଷା ପାଇଁ ଘାତପ୍ରତିଘାତ,
ସହିଥିଲେ ତ ଅନେକ ।।
ପିତୃସତ୍ଯ ରକ୍ଷା କରି ରାମଚନ୍ଦ୍ର,
ଯାଇଥିଲେ ବନବାସ ।
ଚତୁର୍ଦ୍ଦଶ ବର୍ଷ ଅରଣ୍ୟରେ ଭ୍ରମି,
ପାଇଲେ ଦୁଃଖ ଅଶେଷ ।।
ରାଜା ହରିଶ୍ଚନ୍ଦ୍ର ସତ୍ୟବ୍ରତନିଷ୍ଠ
କରି ସ୍ବଧର୍ମ ପାଳନ ।
ସତ୍ୟବଳେ ସେ ଯେ ହେଲେ ସ୍ବର୍ଗପ୍ରାପ୍ତି
ଲଭି ଦୁଃଖ- କ୍ଳିଷ୍ଟମାନ ।
ସତ୍ଯପଥେ ଚାଲି ପ୍ରଭୁ ଯୀଶୁଖ୍ରୀଷ୍ଟ ,
ହୋଇଥିଲେ କ୍ରୁଶବିଧ ।
ପାଷାଣ୍ଡ-ବର୍ବର-ଦୁଷ୍ଟମାନେ ତାଙ୍କୁ,
ଦେଇଥିଲେ ମୃତ୍ଯୁଦଣ୍ଡ ।।
ଶ୍ରେଷ୍ଠ ଦାର୍ଶନିକ ଥିଲେ ସକ୍ରେଟିସ ,
ପିଇଲେ ଉତ୍କଟ ବିଷ ।
ରାଷ୍ଟ୍ରହିତ ପାଇଁ ସତ୍ଯ-ଅନୁସରି,
ଛାଡିଲେ ଶେଷ ନିଃଶ୍ବାସ ।।
ଯେତେ ଲୁଚାଇଲେ ସତ୍ୟ କେବେବି
ଲୁଚେନାହିଁ ଏହି ସଂସାରେ ।