STORYMIRROR

Paramita Sarangi

Inspirational Others

3  

Paramita Sarangi

Inspirational Others

ସତ୍ୟ ସହ ଦେଖା ହେଲା ପରେ

ସତ୍ୟ ସହ ଦେଖା ହେଲା ପରେ

1 min
27.4K


ସତ୍ୟ ତୁମ ସହ ଦେଖା ହେଲା ପରେ

ବରୁଣେଇରୁ ଝରୁଥିବା ଝରଣାଟା

କେମିତି ଲାଜେଇ ଗଲା,

ନନ୍ଦନକାନନର ଥୁଣ୍ଟା ଗଛ ଉପରେ

ବସିଥିବା ଚଢ଼େଇ ଗୁଡିକ

ଉଡ଼ିବାକୁ‌ ମନା କରିଦେଲେଣି ।

କୋଣାର୍କର ବେଳାଭୂମିରୁ

ଶାମୁକା ଗୁଡ଼ିକୁ ଖୋଜୁ ଖୋଜୁ

ମୁକ୍ତାଟିଏ ପାଇଗଲି ତ

ଜାଣି ଗଲି ତୁମେ ଏଇଠି କେଉଁଠି

ଠିଆ ହୋଇଛ,

ଅନୁଭବ କରିଛି ତ ତୁମକୁ

ଅନେକ ଥର, କିନ୍ତୁ ତୁମେ

ଏଇନେ ଥାଅ

ଏଇନେ ନ ଥାଅ କିନ୍ତୁ

ମୁଁ ତ , ତୁମେ ଥିବା ପବନର

ସେହି ଅଂଶକୁ ଭିଡିନେଲି

ମୋ ଭିତରକୁ, ତୁମ ବାସ୍ନାର

ମାଦକତା ଲାଖିଗଲା ମୋ ଦେହରେ

ଠିକ୍ ଗୋଟେ ଚୁଇଙ୍ଗମ୍ ପରି

ବାଲୁକା ଉପରେ ଚାଲି‌ ପରି

ଟଳମଳ ପାଦ ଚିହ୍ନ ମୋର

ଚାଲୁଛି ତଥାପି ମୁଁ

ତୁମ ଆଙ୍ଗୁଠି ନ ଛାଡ଼ି

ହେଲେ, ଖୁବ୍ ବଦମାସ୍ ତୁମେ

ବେଳେବେଳେ ମୋ ହାତରୁ ନିଜକୁ

ଛଡ଼ାଇ ନେଉଛ, ଠିକ୍ ସେତିକି ବେଳେ

ମୁଁ ଖସି ଯାଉଛି ତଳକୁ ଆଉ‌ ତଳକୁ

କେଉଁ ଏକ ଅଜଣା କୂଅ ଭିତରକୁ

ଯେଉଁଠି କେତେ ଗୁଡିଏ କୀଟ

ଟାଣି ଚାଲନ୍ତି ଅନବରତ।

ଖସିବାକୁ ଦିଅନା ମୋତେ

ସତରେ ବନ୍ଧୁ ନା‌ ତୁମେ ମୋର?

ମୁଠାଏ ଧର ମୋର ବନ୍ଧୁତ୍ଵକୁ

ବନ୍ଧୁ ଅବନ୍ଧୁ , ପରିଚିତ ଅପରିଚିତର

ଅଡ଼ୁଆ ତଡୁଆ ଜାଲ ଭିତରେ

ପାଦ ବଢ଼ାଇ ଦେଇଛି ରାସ୍ତାକୁ।

କଥା ଦେଉଛି ,ଅଳିଆ ସବୁକୁ

ନିଜଠୁଁ ଦୁରେଇ, ସବୁବେଳେ

ଚେଷ୍ଟା କରିବି ଚାଲିବାକୁ

କେବଳ ତୁମ ସାଥିରେ

କେବଳ ତୁମ ସାଥିରେ।

ପାରମିତା ଷଡ଼ଙ୍ଗୀ।


Rate this content
Log in

Similar oriya poem from Inspirational