ସ୍ଵତନ୍ତ୍ର ମୋ ଓଡ଼ିଶା ଭୂଇଁ
ସ୍ଵତନ୍ତ୍ର ମୋ ଓଡ଼ିଶା ଭୂଇଁ
ମୋ ଓଡ଼ିଶା କଳା ପୃଥିବୀ ବିଖ୍ୟାତ
ବିବିଧ ଶିଳ୍ପ ଶୋଭାର ଭଣ୍ଡାର ,
ବସ୍ତ୍ର ଶିଳ୍ପ ଠାରୁ , ତାରକସୀ ଶିଳ୍ପ
ସବୁଠାରେ ଲୋକପ୍ରିୟ ତାହାର ।
ଧନ୍ୟ କଳାକିର୍ତ୍ତୀ ଧନ୍ୟ କଳାକାର
ବିବିଧ କଳାର ତୁ' ଗନ୍ତାଘର ,
ପାଷାଣ ମନ୍ଦିରେ ହସେ ଶିଳା ବାଳା
ମନଲୋଭା ଭରା ଦୃଶ୍ୟ ସମ୍ଭାର ।
ଲୋକନୃତ୍ୟ ସାଥେ ଓଡ଼ିଶୀର ଛନ୍ଦ
ତାଳେ ତାଳେ କରଇ ମନ୍ତ୍ରମୁଗ୍ଧ ,
ସ୍ୱଦେଶେ, ବିଦେଶେ ଦୂର ଦୂରାନ୍ତରେ
ଲୋକେ ଦେଖି ହେଇଯାଆନ୍ତି ସ୍ତବ୍ଧ ।
ବାର ମାସେ ତେର ପର୍ବ ପର୍ବାଣୀରେ
ଓଡ଼ିଆ ପର୍ବର ଅପୂର୍ବ ଗାଥା ,
ରଜ ଠାରୁ ନେଇ ରଥ ଯାତ୍ରା ଯାଏ
ଦିଏ ଭାଇଚାରା ମୈତ୍ରୀର ବାର୍ତ୍ତା ।
ପୁଣ୍ୟଭୂମି ପୂତ ଦେବଭୂମି ଆମ
ଉତ୍କଳ ଜନନୀ ଜନମ ଭୂଇଁ ,
ଦାରୁବ୍ରହ୍ମ ରୂପେ ଜଗତର ନାଥ
ବିଜେ ମହାପ୍ରଭୁ ଜଗତ ସାଇଁ ।