ଷଡ ଚକ୍ର
ଷଡ ଚକ୍ର
ଅନନ୍ତ ଶକ୍ତିର କେନ୍ଦ୍ର ସ୍ଥଳ ମଣିଷ ଶରୀରେ
ଅଜ୍ଞାନ ବଶତଃ ଶକ୍ତି ପ୍ରତି ଅଜ୍ଞ ସହଜରେ
ସାଧନା ବଳରେ ଅନୁଭବ ହୁଏ ସେହି ଶକ୍ତି
କୁଣ୍ଡଳିନୀ ଶକ୍ତି ନାମେ ଖ୍ୟାତି ରହିଛି ସମ୍ପ୍ରତି
ଆଧ୍ୟାତ୍ମିକ,ମାନସିକ, ଭାବନାତ୍ମକ କ୍ଷେତ୍ରରେ
ପୁଣି ସ୍ବାସ୍ଥ୍ୟ ସନ୍ତୁଳିତ କୁଣ୍ଡଳିନୀ ଜାଗ୍ରତ ରେ
ଚକ୍ର ମାଧ୍ୟମରେ ଜାଗି ଥାଏ କୁଣ୍ଡଳିନୀ ଶକ୍ତି
ନାଡି ମାନଙ୍କର କେନ୍ଦ୍ରସ୍ଥଳ ରେ ଚକ୍ର ଉତ୍ପତ୍ତି
ଶରୀରରେ ନାଡି,ଏକ ଲକ୍ଷ ବାସ୍ତରି ହଜାର
ରହିଛି ଏକ ଶତ ନଅ ନାଡି କେନ୍ଦ୍ର ବା ଚକ୍ର
ସାତଟି ଚକ୍ରର ପ୍ରାୟତଃ ରହି ଅଛି ପ୍ରାଧାନ୍ୟ
ଷଡ ଚକ୍ର ସହିତରେ ସହସ୍ର ଚକ୍ରର ବିଧାନ
ସାତୋଟି ଚକ୍ରରେ ପ୍ରାଣର ପ୍ରବାହ ବିଦ୍ୟମାନ
ଚକ୍ର ଠୁ ଚକ୍ରକୁ ପ୍ରାଣ, ନାଡି ଦ୍ଵାରା ସମ୍ପାଦନ
ତିନି ଗୋଟି ନାଡି ଅତି ସୂକ୍ଷ୍ମ ନଳୀର ସଦୃଶ
ସୁଷମ୍ନା,ଇଡ଼ା ଓ ପିଙ୍ଗଳା ନାମ ଧାରେ ପ୍ରକାଶ
ଗୁହ୍ୟ-ଦ୍ବାର ବାମରୁ ଇଡା, ଦକ୍ଷିଣ ରୁ ପୀଙ୍ଗଳା
ସୁଷମ୍ନା ସହିତ ମିଳିତ ଭାବେ କରନ୍ତି ଖେଳା
ପ୍ରକାଶମୟ ଓ ଶକ୍ତି ଯୁକ୍ତ ଏ ନାଡି ସମସ୍ତ
ସାଧନା ଦ୍ବାରା ହିଁ କ୍ରମଶଃ ଶକ୍ତି ହୁଏ ଜାଗ୍ରତ
ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ
ବିଶୁଦ୍ଧ ଓ ଆଜ୍ଞା ,ଷଡ ଚକ୍ର ନାମରେ ନାମିତ
ମେରୁଦଣ୍ଡ ଶେଷ ଭାଗ , ମଳ ଦ୍ଵାରର ପଛରେ
ମୂଳାଧାର ଚକ୍ର ବା ଆଧାର ଚକ୍ର ନାମ ଧାରେ
ସ୍ଵାଧିଷ୍ଠାନ ଚକ୍ର ସ୍ଥିତ ନାଭିର ନିମ୍ନ ଦେଶରେ
ମଣିପୁର ଚକ୍ର ବା ନାଭି ଚକ୍ର ,ନାଭି ମୂଳରେ
ଅନାହତ ବା ହୃଦୟ ଚକ୍ରର ସ୍ଥିତି ହୃଦରେ
ବିଶୁଦ୍ଧ ବା କଣ୍ଠ ଚକ୍ର ରହିଛି କଣ୍ଠ ଦେଶରେ
ଆଜ୍ଞା ଚକ୍ର ବା ରାଧା ଚକ୍ରର ସ୍ଥିତି ଭ୍ରୁ-ମଧ୍ୟରେ
ମସ୍ତିଷ୍କ ରେ ଥିବା ଚକ୍ର ସହସ୍ର ଚକ୍ର ନାମରେ
ପ୍ରତି ଚକ୍ର ଧାରେ ପୁଣି ଦେବତାଙ୍କର ଆସ୍ଥାନ
ଚକ୍ର ଉଜାଗର ଧାରେ ଶରୀର ବି ଲାଭବାନ
ମୂଳାଧାର ଚକ୍ର ଉଜାଗରେ ପ୍ରାୟ ରୋଗ ମୁକ୍ତି
ସ୍ଵଧିଷ୍ଠାନ ଉଜାଗରେ , ଶକ୍ତ ହୁଏ ଯୌନ ଶକ୍ତି
ବ୍ୟକ୍ତିତ୍ବ ବିକାଶ ପ୍ରାୟ ମଣିପୁର ଉଜାଗରେ
ବାକ୍ ସିଦ୍ଧି ପ୍ରାପ୍ତି ହୁଏ କଣ୍ଠ ଚକ୍ର ଉଜାଗରେ
ଭୂତ ଓ ଭବିଷ୍ୟ ଜ୍ଞାତ ଆଜ୍ଞା ଚକ୍ର ଉଜାଗରେ
ଷଡ ଚକ୍ର ଜାଗି ସପ୍ତମ ଚକ୍ର ଦର୍ଶନ କରେ
ବ୍ରହ୍ମ ରନ୍ଧ୍ର, ବ୍ରହ୍ମଲୋକ,ଅଟେ ସେ ସହସ୍ର ଚକ୍ର
କୁଣ୍ଡଳିନୀ ଶକ୍ତି ଜାଗ୍ରତ ବଳେ ହୁଏ ସାର୍ଥକ
ଚକ୍ର ଧାରେ ଆୟୁର୍ବେଦ ଠାରୁ ଯନ୍ତ୍ର ମନ୍ତ୍ର ତନ୍ତ୍ର
ଯୋଗ ପ୍ରାଣାୟାମ ଧ୍ୟାନ ସାଧନ ପୁଣି ସଂଯୁକ୍ତ
ଶରୀର ଓ ଚକ୍ର, ରହସ୍ୟ ଅତି ନିଗୂଢ଼ ତତ୍ତ୍ଵ
ସାଧନା ବଳରେ ହୁଏ ରହସ୍ୟର ଉନ୍ମୋଚିତ
