ସୃଷ୍ଟିର ବୈଚିତ୍ର୍ୟ
ସୃଷ୍ଟିର ବୈଚିତ୍ର୍ୟ
ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ଯ ଅକ୍ଷ ଚାରିକଡେ
ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ
ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁଡାକ ଦିଏ
ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ।
ଜୀବନ ଆଗେ ମରଣ,ଛୁଟିଲେ ମାଟିଘଟ ହୁଏ ପଞ୍ଚଭୂତେ ଲୀନ
ପ୍ରାପ୍ତି ସଫଳତାର ମାରାଥନରେ ନିର୍ଲିପ୍ତ ଆଜି ରାତି ଦିନ
ବିଶ୍ବାସ ଶବ୍ଦ ଉଚାରଣେ ଜଡ ପଥରକୁ ମଣେ ଭଗବାନ
ବିସ୍ମୃତ ପ୍ରାୟ ଦିବ୍ୟଜ୍ଞାନ,ଉପେକ୍ଷିତ ଜନନୀ କରେ ରୋଦନ ।
ଦିଗରୁ ଦିଗନ୍ତ ବିସ୍ତୃତ ଆଜି ନବ ବିଜ୍ଞାନର ପରିସୀମା
ଚେତନା ଗବାକ୍ଷରେ ନିରନ୍ତର ବହଳେ ଅଳନ୍ଧୁ କାରନାମା
ବାଟ ଘାଟ ତୁଠ ତୀର୍ଥେ ପ୍ରକମ୍ପିତ ମୃଦୁ ଓମକାର ଗୁଞ୍ଜନ
ଜୀବନ ହାଟରେ ନିତି ତଉଲାନ୍ତି ପ୍ରୀତି ସମ୍ପର୍କର ବନ୍ଧନ।
ରାବଣ ଦାନବତ୍ବରେ ମ
ା ସୀତାଙ୍କ ସତୀତ୍ୱ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ
ଦେବତ୍ବ ମୁଖାରେ ମାନବ ଆସୁରିକ ଆଚରଣେ ପରିପୂର୍ଣ୍ଣ
ଉତ୍ତୁଙ୍ଗ ସିଆଚେନ୍ ର ଶୃଙ୍ଗରେ ଫରଫର ବିଜୟ ପତାକା
ସିଗନାଲରେ ପ୍ରଦର୍ଶିତ ହାତେ ତ୍ରିରଙ୍ଗା,ପେଟରେ ଓଦାକନା।
ଦାରୁଦେହେ ବିଜେ ବ୍ରହ୍ମ ଦେବତ୍ବର ନିଆରା ମାନବୀୟ ଲିଳା
ସଂସାର ଓ ସନ୍ଯାସ ମଧ୍ଯରେ ବୁଡେ ମଣିଷର ଜୀବନ ଭେଳା
ସତ୍ସଙ୍ଗେ ଚିନ୍ତନ ଦର୍ଶନ ପୁଣି ନିର୍ବାଣର ତର୍କ ଅନ୍ବେଷଣ
ସର୍ବତ୍ର ବ୍ଯାପୁଛି ଏବେ ହିଂସା ଘୃଣା ସ୍ବାର୍ଥ ବୀଜାଣୁ ସଂକ୍ରମଣ।
କର୍ମଫଳେ ଯଦୁବଂଶ ନାଶ,ଜାରା ଶରେ ସରେ ଗୋବିନ୍ଦ ଆୟୁଷ
ଲହୁଲୁହର ସଂସାରେ,ଏନ୍ତୁଡ଼ି ସପନକୁ ମଶାଣି ପାଉଁଶ
ସୂର୍ୟ୍ଯକୁ ପରାଗ ପୁଣି କେବେ ତିମିରେ ପ୍ରଛନ୍ନ ପୂର୍ଣ୍ଣମୀ ଶଶୀ
ଚେତନା ଉଦୟେ ମାନବ ସମାଜେ ପ୍ଲାବିତ ମୋକ୍ଷ ରାଶି ରାଶି।