STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ସ୍ଵପ୍ନର‌ କବିତା

ସ୍ଵପ୍ନର‌ କବିତା

1 min
324


ମୋ ଦୁଃଖରାତିଟା ଶୋଇଗଲା ପରେ

   ସୁଖର ସପନ ଦେଖୁଛି ଆଖି,

ଚଗଲା ନିଦ ମୋ କଡ଼ ଲେଉଟାଏ

 ଛାତିରେ ମୋ କିନ୍ତୁ ଅନେକ ତାତି।

ପ୍ରୀତି ମନ୍ଦାକିନୀ ମୋ ଗାଆଁ ଦେଇ

  କୁଳୁ କୁଳୁ ହୋଇ ଯାଉଛି ବହି,

ନ‌ଈ ଆରପାଖେ ମୋ ପ୍ରିୟା ଚାହିଁଛି

  ମନ କଥା କିଛି କହିବା ପାଇଁ।

ପାଉନାହିଁ ଆଖି ନ‌ଈ ସେ ପାରିକୁ

  କଳ୍ପନା ଆକାଶ କୁହୁଡି ଘେରା,

ଝାପ୍‌ଶାଦିଶେପ୍ରିୟାକଳାମେଘି ବେଣୀ

  ଭରିଯାଏ ମୋର ପ୍ରେମ ପସରା। 

ଗୋଲାପୀ ରଙ୍ଗ ତା' ପଡିଯିବ‌ ଫିକା

  ମୋମନରେ କିନ୍ତୁ ଲାଗେ ଆଶଙ୍କା,

ସେ ଲାଗି ଖରାକୁ ରାଣ ପକେଇଛି

  ଆଜିପାଇଁ ଟିକେଦେବନି ଦେଖା।

ପ୍ରିୟା ପାଇଁ ପ୍ରୀତି ନ‌ଉକା ମେଲିଛି

   ପ୍ରେମର ଆହୁଲା ଧରିଛି ହାତେ,

ତା'ଲାଜ ଆଖିରେ କଜଳ ଲେପିବି

   ହସ ଭରିଦେବି ନରମ ଓଠେ।

ପ୍ରୀତି ସୁଧାମୃତ ଟିକେ ଚଖେଇବି

  ମନେମନେ ପ୍ରିୟା ହେବ ମୋ ଖୁସି

ତା'ହୃଦ ସାଇତା କଥା ଯେତେ ସବୁ

   ମୋ କାନେ କହିବ ସେ ହସିହସି।

ମୋ ଫେରିବା ବାଟ ଚାହିଁଛି ସେ ଦିନୁଁ

   ଅସରନ୍ତି ଆଶା ମନରେ ରଖି,

ତା'ମନସ୍କାମନା ନିଶ୍ଚେ ପୁରା ହେବ

  ଅଭିମାନୀ ପରା ମୋପ୍ରାଣ ସଖୀ।

ଏମିତି ଅନେକ ଭାବନାକୁ ନେଇ

   ସ୍ଵପ୍ନରେ କବିତା ଲେଖିବି କାହିଁ,

ଆଉ ଧୈର୍ଯ୍ୟ ନାହିଁ ମନ ମୋ ଅଧିର

   ପ୍ରିୟାର ମଧୁର ପରଶ‌ ପାଇଁ।

କଳ୍ପନା ଆକାଶେ ଉଡ଼ି ଉଡ଼ି କିନ୍ତୁ

   ମନ ପକ୍ଷୀ ମୋର ଗଲାଣି ଥକି,

ଅବଶ‌ ଡେଣାରେ କ୍ଳାନ୍ତ‌ ମେଣ୍ଟାଇବ‌

 ମୋପ୍ରୀୟାକୋଳରେ ତା'ମଥାରଖି।

ପ୍ରେମ ପାଗଳ ମୋ ପିୟାସୀ ମନଟା

  ମୋପ୍ରୀୟା ପାଖରେ ପଡ଼ିଛି ବନ୍ଧା,

ପ୍ରଥମ ଦେଖାରେ ତା' ଘଞ୍ଚ ଗଭାରେ

   ଖୋସି‌ଦେବି ପ୍ରେମ ରଜନୀଗନ୍ଧା।

ସ୍ଵପ୍ନର କବିତା ଲେଖିପାରୁ ନାହିଁ

   ଶବ୍ଦର କାନନେ ହୁଏ ମୁଁ ବଣା,

ଆଉ ଟିକେ ପ୍ରିୟା ମୋ ବାଟ ଚାହିଁଥା

   ମିଳିଯିବ ନିଶ୍ଚେ ପ୍ରେମ ପାଉଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance